ନିର୍ବାଚନ ପ୍ରଚାର ଓ ଖରାର ଉଷ୍ଣତା ଭିତରେ ପଖାଳର ମଜ୍ଜା ନେଲେ ପାଣ୍ଡିଆନ

କଲାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ସ୍ଥାନୀୟ ଜଙ୍ଗଲରେ ପଖାଳର ମଜା ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସାଥିରେ ଥିଲେ ଇଣ୍ଡିଆ ଟୁଡେ ଟିଭିର ସାମ୍ବାଦିକ ରାହୁଲ କନୱାଲ

ଭୁବନେଶ୍ୱର, ୨୭/୦୪/୨୦୨୪: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜ୍ଜା ନେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ ଇଣ୍ଡିଆ ଟୁଡେ ଟିଭିର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

କଲାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଟିଭିର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ।

ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ। କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭର୍ତା ଓ ଦହି। ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କର ଖୁବ ପସନ୍ଦ। ଆମ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବହୁତ ପ୍ରିୟ ପଖାଳ।

ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲଙ୍କୁ ବୁଝାଇବା ସହ ଓଡ଼ିଆଙ୍କର ଏହି ସାଧାରଣ ତଥା ହିତକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ସେ ବିଷୟରେ ପାଣ୍ଡିଆନ ଖାଇବାବେଳେ କହିଥିଲେ। ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରି ଯାଇଥିଲେ।