ଅନୁଗୋଳରେ ମହିଳା ସମାବେଶ ଓ ଢେଙ୍କାନାଳ ଖମାରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ବିଜେଡି ଓ କଂଗ୍ରେସ ଦଳର କର୍ମୀ ଓ ସମର୍ଥକ। • ପଦ୍ମଫୁଲରେ ଭୋଟ୍ ଦେଇ ବିଜେପିକୁ ଜିତାଇବା ପାଇଁ ଜନସାଧାରଣଙ୍କୁ କଲେ ନିବେଦନ।

ମୋତେ ଯେତେ ଗାଳିମନ୍ଦ କଲେ ବି ମୁଁ ଜନତାଙ୍କ ସ୍ୱାର୍ଥ ପାଇଁ ବାରମ୍ବାର ସ୍ୱର ଉତ୍ତୋଳନ କରିବି: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ/ଢେଙ୍କାନାଳ, ଏପ୍ରିଲ ୨୭: ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଉପରେ ପ୍ରଶ୍ନ କଲେ ଗୁମାସ୍ତା ଗାଳି ମନ୍ଦ କରୁଛନ୍ତି । ମୋତେ ସେମାନେ ଯେତେ ଗାଳିମନ୍ଦ କଲେ ବି ମୁଁ ପାଲଲହଡା ଓ ଅନୁଗୋଳ ସମେତ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସମସ୍ୟା କଥା ଉଠାଇବି ଏବଂ ବାରମ୍ବାର ଉଠାଇବି ବୋଲି ଅନୁଗୋଳରେ ମହିଳା ସମାବେଶ ଓ ଢେଙ୍କାନାଳ ଖମାରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଥର ନିର୍ବାଚନ ମୋଦୀ ସରକାରଙ୍କ କଲ୍ୟାଣକାରୀ ୧୦ ବର୍ଷର ଶାସନ ଏବଂ ନବୀନ ସରକାରଙ୍କ ଦୀର୍ଘ ୨୪ ବର୍ଷର ଅପାରଗ ଶାସନ ପାଇଁ ହେବ । ନବୀନ ସରକାରଙ୍କ ଦୀର୍ଘ ୨୪ ବର୍ଷ ଶାସନରେ ସ୍ଥାନୀୟ ସମାକୋଇ, ଦୁର୍ଗାପୁର କେନାଲର ଅବସ୍ଥା କଣ ? ରେଙ୍ଗାଳି, ପାଲଲହଡା, ଖମାରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ଅଛନ୍ତି କି ? ଜଳସେଚନର ସୁବିଧା ନାହିଁ। ଅପରପକ୍ଷରେ ମୋଦୀ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଏବଂ କରୋନା ମହାମାରୀ ସମୟରେ ଟୀକା ଉପଲବ୍ଧ କରାଇଛନ୍ତି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ରାସ୍ତା, ରେଳ, ବିମାନବନ୍ଦର ଭିତ୍ତିଭୂମି ମଜବୁତ୍ କରିଛନ୍ତି । ଜନଧନରେ ଟଙ୍କା ଓ ଲକ୍ଷପତି ଦିଦି ଭଳି ଅନେକ ଯୋଜନା ବିଶେଷତଃ ମାତୃଶକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।

ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ମଧ୍ୟରେ ଆଶାର ନୂଆ ସଂଚାର ତିଆରି କରିପାରିଛନ୍ତି । କିନ୍ତୁ ନବୀନ ବାବୁ ବ୍ୟାଗ୍ ଖଣ୍ଡେ ଦେଇ ନିଜେ ଚାଉଳ ଦେବାର ଅପପ୍ରଚାର କରୁଛନ୍ତି । କିନ୍ତୁ ଏହା ଉପରେ ପ୍ରଶ୍ନ କଲେ ଗୁମାସ୍ତା ଓ ବିଜେଡି ନେତାମାନେ ଗାଳିମନ୍ଦ କରୁଛନ୍ତି । ମୋତେ ଗୁମାସ୍ତାମାନେ ଯେତେ ଗାଳିମନ୍ଦ କଲେ ବି ମୁଁ ପାଲଲହଡା ସମେତ ଓଡ଼ିଶାବାସୀ ଲୋକଙ୍କ ସ୍ୱାର୍ଥ କଥା ଉଠାଇବି । ମୁଁ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ବଂଶଜ । ଅନୁଗୋଳ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ତ୍ୟାଗ ଓ ବଳିଦାନର ଭୂମି । ଏହି ସଂଗ୍ରାମୀମାନେ ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଇଁ ନଥିଲେ, ମୁଁ ମଧ୍ୟ ତାଙ୍କ ଆଗରେ ମୁଣ୍ଡ ନୁଆଇଁବି ନାହିଁ । ଓଡ଼ିଶାରେ ଦାସତ୍ୱ କିମ୍ବା କ୍ରୀତଦାସ ପାଇଁ ନୁହେଁ, ଏଥର ଲଢେଇ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ହେବ । ରିମୋର୍ଟରେ ଶାସନ ନୁହେଁ ବରଂ ଲୋକଙ୍କ ଶାସନ ଚଲାଇବା ପାଇଁ ହେବ । ଅନୁଗୋଳରେ ମହିଳା ସମାବେଶ ଓଡ଼ିଶାରେ ପରିବର୍ତ୍ତନକୁ ସୂଚାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ ଖମାରରେ ଆୟୋଜିତ ମିଶ୍ରଣ ପର୍ବ ଏବଂ ଅନୁଗୋଳରେ ପୃଥକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସମାଜସେବୀ ଭାରତ ସାହୁଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସମର୍ଥକମାନେ ଦଳରେ ଯୋଗଦେଇଥିଲେ । ଏହି ଯୋଗଦାନ ଦଳୀୟ ପ୍ରାର୍ଥୀଙ୍କ ହାତମୁଠାକୁ ଅଧିକ ମଜଭୂତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସେହିପରି ଖମାରରେ ବିଶାଳ ପଦଯାତ୍ରାରେ ଯୋଗଦେଇ ପଦ୍ମଫୁଲରେ ଭୋଟ୍ ଦେଇ ବିଜେପିକୁ ଜିତାଇବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।