ରାଜ୍ୟରେ ବିଏସକେୱାଇ କାର୍ଡ ବୈଧ: ସ୍ୱାସ୍ଥ୍ୟ ବିଭାଗ

ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରାଇବା ପାଇଁ ହସ୍ପିଟାଲଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୦୬/୦୬: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ଶେଷ ହୋଇଛି ଦ୍ୱନ୍ଦ। ବିଏସକେୱାଇ କାର୍ଡ ଏବେ ବି ବଳବତ୍ତର। ଏ ନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ବିଜେଡ଼ି ସରକାର ଦ୍ଵାରା ଆରମ୍ଭ ହୋଇଥିବା ବିଏସକେୱାଇ ଯୋଜନା ଏବେ ବି ଲାଗୁ ରହିଛି। ବିଏସକେୱାଇକୁ ନେଇ ରାଜ୍ୟ ସରକାର ଘରୋଇ ହସ୍ପିଟାଲ ସହ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ତାହା ଏବେ ବି ବୈଧ। ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନ ହେବା ଖବର ଏକ ଗୁଜବ। ରୋଗୀମାନେ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ହସ୍ପିଟାଲଗୁଡିକୁ ଏଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହ ଯଦି କୌଣସି ହସ୍ପିଟାଲଗୁଡିକ ରୋଗୀଙ୍କ ପ୍ରତି ଅବହେଳା କରନ୍ତି କିମ୍ବା ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତାହାଲେ ଉକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିକିତ୍ସାକୁ ନେଇ କୌଣସି ସମସ୍ୟା ଉପୁଜିଲେ ୧୦୪ ହେଲ୍ପ ଲାଇନ ନମ୍ବରକୁ ଫୋନ୍ କରି ପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ପରାଜିତ ହୋଇ ବିଜେପି ବିଜୟ ଲାଭ କରିଥିଲା। ଯାହାଫଳରେ ବିଜେଡି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଏସକେୱାଇ କାର୍ଡ ବନ୍ଦ ହୋଇଯିବାର ଖବର ରାଜ୍ୟସାରା ବ୍ୟାପିଗଲା। କିଛି ହସ୍ପିଟାଲଗୁଡିକ ରୋଗୀଙ୍କୁ ବିଏସକେୱାଇ କାର୍ଡରେ ଚିକିତ୍ସା କରାଇବା ପାଇଁ ମନା କରୁଥିଲେ। ଯାହାକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି।