ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ

ଶଙ୍ଖ ଭବନରେ ପ୍ରେସମିଟ କରି ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି।

ଅରୁଚିକର ଖବର ପ୍ରସାରଣ କରୁଛନ୍ତି ଗଣମାଧ୍ୟମ

ଭୁବନେଶ୍ବର, ୦୬/୦୬: ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ଗଣମାଧ୍ୟମରେ ଜୋରସୋର ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା। କିଛି ଗଣମାଧ୍ୟମ ଓ ରାଜନୀତି ସମୀକ୍ଷକ ବିଜେଡିର ଏପରି ପରାଜୟର କାରଣ ଭିକେ ପାଣ୍ଡିଆନଙ୍କୁ ଦର୍ଶାଉଥିଲେ। ଭିକେ ପାଣ୍ଡିଆନଙ୍କ ଦଳରେ ଏଭଳି ଉପସ୍ଥିତି ଯୋଗୁଁ ବିଜେଡିର ଏପରି ପରାଜୟ ଘଟିଛି ବୋଲି କହିଥିଲେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମଧ୍ୟ ଭିକେ ପାଣ୍ଡିଆନ ସାମନାକୁ ନ ଆସିବା ଫଳରେ ରାଜ୍ୟ ସାରା ଜୋରସୋର ଆଲୋଚନା ହୋଇଥିଲା। ଭିକେ ପାଣ୍ଡିଆନ କୁଆଡ଼େ ଗଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ହେବାରେ ଲାଗିଲା। ଆଜି ଅପରାହ୍ନରେ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଉଥିବାର ଫଟୋ ସାମନାକୁ ଆସିଥିଲା। ଯାହାକୁ ନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏ ନେଇ ମୁହଁ ଖୋଲିଛନ୍ତି। ଶଙ୍ଖ ଭବନରେ ପ୍ରେସମିଟ କରି ସସ୍ମିତ ଏହି ଘଟଣାରେ ଉତ୍ତର ରଖିଛନ୍ତି।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି। ଏହି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ଆମେ ସମ୍ପୃକ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛୁ। କୌଣସି ଦଳର ନେତା ବା ନେତୃବୃନ୍ଦ କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟମ ନାହିଁ। ତେଣୁ ଦୟାକରି ସମ୍ପୃକ୍ତ ଗଣମାଧ୍ୟମ ଏପରି ଖବର ପ୍ରସାରଣରୁ ବିରତ ରହିବାକୁ ପୁନଃ ଅନୁରୋଧ କରୁଛୁ ବୋଲି ସସ୍ମିତ ପାତ୍ର କହିଛନ୍ତି।