ପରଲୋକରେ ମିଡ଼ିଆ ଟାଇକୁନ ପଦ୍ମ ବିଭୂଷଣ ରାମୋଜୀ ରାଓ

ଇନାଡୁ ଖବର କାଗଜ ଏବଂ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ପରଲୋକ ଘଟିଛି।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ,୦୮/୦୬: ପରଲୋକରେ ମିଡ଼ିଆ ଟାଇକୁନ ରାମୋଜୀ ରାଓ। ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ଚେରୁକୁରୀ ରାମୋଜୀ ରାଓଙ୍କର ଶନିବାର ସକାଳେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ବିଶ୍ୱର ସର୍ବବୃହତ ଚଳଚ୍ଚିତ୍ର ପ୍ରଯୋଜନା ପ୍ରତିଷ୍ଠାନ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ଥିଲେ ରାମୋଜୀ। ଏହା ବ୍ୟତୀତ ରାମୋଜୀ ଇନାଡୁ ଖବରକାଗଜ, ଇଟିଭି ଚ୍ୟାନେଲ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଉଷା କିରଣ ମୁଭିଜ୍ ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଦାୟିତ୍ବରେ ଥିଲେ।

ରାମୋଜି ରାଓ କିଛି ବର୍ଷ ତଳେ ସେ କ୍ୟାନସରରୁ ମୁକୁଳିଥିଲେ। କିନ୍ତୁ ଗତ ୫ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବା ସହ ଚିକିତ୍ସାଧିନ ଅବସ୍ଥାରେ ରାମୋଜୀଙ୍କର ଦେହାନ୍ତ ହୋଇଛି। ୨୦୧୬ରେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପାଇଥିଲେ।

ରାମୋଜୀଙ୍କ ଦେହାନ୍ତ ଖବର ଶୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ରାମୋଜି ରାଓଙ୍କ ବିୟୋଗରେ ଭାରତ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ଜଣେ ତାରକାଙ୍କୁ ହରାଇଛି। ଜଣେ ଅଭିନବ ଉଦ୍ୟୋଗୀ ଭାବେ ସେ ଇନାଡୁ ଖବରକାଗଜ, ଇଟିଭି ନ୍ୟୁଜ୍ ନେଟୱର୍କ ଏବଂ ରାମୋଜି ଫିଲ୍ମ ସିଟି ସମେତ ଅନେକ ଉଦ୍ୟୋଗର ନେତୃତ୍ୱ ନେଇଥିଲେ। ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ମିଡ଼ିଆ ଇଣ୍ଡଷ୍ଟ୍ରି ପ୍ରତି ତାଙ୍କର ଅବଦାନ ଦୀର୍ଘ ଦିନ ଧରି ସ୍ମରଣୀୟ ରହିବ। ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କ ପ୍ରତି ମୋର ସମବେଦନା ବୋଲି ରାଷ୍ଟ୍ରପତି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାମୋଜୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ରାମୋଜୀଙ୍କ ଅବଦାନ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି।