ଜିଲ୍ଲାପାଳଙ୍କ ହାତରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ ସ୍କୁଲ ସମୟ ଧାର୍ଯ୍ୟ କରାଯାଇଛି।

ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର, ୧୭/୦୬: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରୀଷ୍ମ ଛୁଟି ଅବଧିକୁ ଆହୁରି ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ୧୮ ତାରିଖରେ ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଥିବା ବେଳେ ଆହୁରି ୩ ଦିନ ଯାଏ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାର ପାଣିପାଗକୁ ଦୃଷ୍ଟିରେ ରଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛୁଟି କରିବେ କିମ୍ବା ସ୍କୁଲ ସମୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଜିଲ୍ଲାରେ ପାଣିପାଗ ଅନୁକୂଳ ରହିଛି, ସେଠାରେ ସ୍କୁଲ ସମୟ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିବ। ଆସନ୍ତା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।