ମୃତ୍ୟୁ ଏମିତି ବି ଆସେ!

ଆଜି ସକାଳେ ଡୁଙ୍ଗୁରିପାଲି ରେଳଷ୍ଟେସନରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମାଆ, ଭଉଣୀ ସମ୍ମୁଖରେ ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ

ଡୁଙ୍ଗୁରିପାଲି, ୧୭/୬(ଦର୍ଶନ ନିଉଜ): ମୃତ୍ୟୁ ଏମିତି ବି ଆସେ । ମାଆ ଏବଂ ଭଉଣୀ ସମ୍ମୁଖରେ ଟ୍ରେନରୁ ଖସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଦୁଃଖଦ ଘଟଣା ଦେଖୁବାକୁ ମିଳିଛି। ଘଟଣାଟି ଆଜି ସକାଳେ ଡୁଙ୍ଗୁରିପାଲି ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ଆଜି ସକାଳ ୬ଟା ୫୮ ସମୟରେ ଟିଟିଲାଗଡରୁ ହାୱାଡା ଅଭିମୁଖେ ଯାଉଥିବା ଇସ୍ପାତ ଗାଡି ୯୯୯୯ ଟ୍ରେନଟି ଡୁଙ୍ଗୁରିପାଲିରେ ପ୍ଲାଟଫର୍ମ ୧ରେ ପହଞ୍ଚି ଥିଲା।

ବରଗଡ ଆଗଲପୁର ଗାଁର ସ୍ବର୍ଗତ ଶଙ୍କର କୁମ୍ଭାରଙ୍କ ପୁଅ ଅନୀଳ କୁମ୍ଭାର (୩୫) ନିଜ ମାଆ ଏବଂ ଭଉଣୀକୁ ରାଉରକେଲାରୁ ଆସି ଉଭୟଙ୍କୁ ଟ୍ରେନରେ ନେଇ ଛାଡି ଦେଇଥିଲେ। ଟ୍ରେନକୁ ବହୁ ସଂଖ୍ୟାରେ ଯାତ୍ରୀ ଚଢିଥିବା ବେଳେ ଏହି ସମୟରେ ଟ୍ରେନଟି ଛାଡି ଦେଇଥିଲା। ସେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଗୋଡ ଖସି ଯାଇ ଟ୍ରେନ ତଳକୁ ଚାଲି ଯାଇଥିଲେ। ସଙ୍ଗେ ସଙ୍ଗେ ଟ୍ରେନ୍ ଅଟକି ଥିଲେ ମଧ୍ଯ ତାଙ୍କର ଗୋଡ କଟି ଯାଇଥିବା ବେଳେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଟ୍ରେନରୁ ମାଆ ଓ ଝିଅ ଓହ୍ଲାଇ ପଡିଥିଲେ। ଉଭୟେ ମୃତ ଶରୀର ନିକଟରେ କାନ୍ଦ ବୋବାଳି କରିଥିଲେ। ଏଭଳି ହୃଦୟ ବିଦାରକ ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ଯ ବିଚଳିତ କରିଥିଲା।

ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ରେଳ ସୁରକ୍ଷାବଳର ସବ୍ ଇନ୍ସପେକ୍ଟର କୁନା ବାରିକ, ରେଳବାଇ ପୁଲିସ ଏଏସଆଇ ଉପସ୍ଥିତ ଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ନିଆଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ରେଳବାଇ ପୋଲିସ କେସ ନଂ. ୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।