ସୁରମା ପାଢ଼ୀ ହେବେ ବିଧାନସଭା ବାଚସ୍ପତି

ଦିନ ୧୨ଟା ଯାଏ ବିରୋଧୀ ଦଳରୁ ବାଚସ୍ପତି ପଦ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ

ଭୁବନେଶ୍ବର, ୧୯/୦୬: ବିଜେପି ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ପ୍ରାର୍ଥି ଭାବେ ମନୋନୀତ ହେବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦିନ ୧୨ଟା ଯାଏ ଅନ୍ୟ ଦଳରୁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବେ ସୁରମା ପାଢ଼ୀ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଜେପି ବିଧାୟକଙ୍କ ଉପସ୍ଥିତିରେ ରଣପୁର ବିଧାୟକ ସୁରମା ପାଢୀ ବୁଧବାର ବିଧାନସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆସନ୍ତାକାଲି ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ ହେଁ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରିନାହାନ୍ତି।

ସୁରମା ପାଢ଼ୀ ରଣପୁର ବିଧାନସଭା ଆସନରୁ ବିଜେପି ବିଧାୟିକା ରହିଛନ୍ତି। ୨୦୦୪ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।