ପୁନରୁଜ୍ଜୀବିତ ହେଲା ନାଳନ୍ଦା ବିଶ୍ଵବିଦ୍ୟାଳୟ

୨୦୧୭ରେ ଆରମ୍ଭ ହୋଇଥିବା ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ନୂତନ କ୍ୟାମ୍ପସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୦୬: ବୁଧବାର ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସରେ ଏକ ଫଳକ ଉନ୍ମୋଚନ କରିବା ସହ ଏକ ବୃକ୍ଷରୋପଣ କରିଥିଲେ। ବିଶ୍ୱବିଦ୍ୟାଳୟର ପୁରାତନ ଭଗ୍ନାବଶେଷ ନିକଟରେ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି। ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂରାତନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ବୁଲି ଦେଖିଥିଲେ।

୧୭୪୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କ୍ୟାମ୍ପସରେ ୪୦ଟି ଶ୍ରେଣୀଗୃହ ବିଶିଷ୍ଟ ଦୁଇଟି ଏକାଡେମିକ ବ୍ଲକ୍ ରହିଛି, ଯେଉଁଥିରେ ପ୍ରାୟ ୧୯୦୦ ଛାତ୍ରଛାତ୍ରୀ ବସିବାର କ୍ଷମତା ରହିଛି। ନୂଆ କ୍ୟାମ୍ପସରେ ୩୦୦ ସିଟ୍ କ୍ଷମତା ବିଶିଷ୍ଟ ଦୁଇଟି ଅଡିଟୋରିୟମ୍ ଏବଂ ପାଖାପାଖି ୫୫୦ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଗୋଟିଏ ଛାତ୍ର ହଷ୍ଟେଲ ରହିଛି।

ପଞ୍ଚମ ଶତାବ୍ଦୀରେ ସ୍ଥାପିତ ନାଲନ୍ଦା ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରି ପାରିଥିଲା। ଦ୍ୱାଦଶ ଶତାବ୍ଦୀରେ ବଖତିୟାର ଖିଲଜୀଙ୍କ ନେତୃତ୍ୱରେ ହୋଇଥିବା ଆକ୍ରମଣ ଦ୍ୱାରା ଏହା ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା। ୨୦୧୬ରେ ଏହି ସ୍ଥାନକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା। ପୁନଃପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ୨୦୧୭ରେ ନୂଆ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।