ତାରିଣୀ ପୀଠ ପାଇଁ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ତାରିଣୀ ମନ୍ଦିର

ଭୁବନେଶ୍ବର, ୨୩/୦୬: କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଥିବା ବେଳେ ତାରିଣୀ ମନ୍ଦିର ପରିଦର୍ଶନ କରି ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ସହ ମା’ ତାରିଣୀ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି।

ପୂର୍ବ ସରକାର ତାରିଣୀ ପୀଠର ନବୀକରଣ ପାଇଁ ୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ମଞ୍ଜୁର କରିଥିଲେ। ହେଲେ, ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଚାଲିଥିବା ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ କୋଟି ଟଙ୍କା ଘୋଷଣା କରିଥିଲି। ମା’ ତାରିଣୀ ମନ୍ଦିରରେ ମୋଟ ୧୦୦ କୋଟି ଟଙ୍କା ବ୍ୟୟରେ ଏହି ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଗାଁ ହାଇସ୍କୁଲ ପଡ଼ିଆରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ରେ ଯୋଗ ଦେଇଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଗାଁ ରାଇକଳା ଯିବାର କାର୍ଯ୍ୟକ୍ରମ ରହିଛି।