କଂଗ୍ରେସ ସଭାପତିଙ୍କୁ କାଳିମାଡ ଘଟଣା: ୬ ଜଣଙ୍କୁ ବହିଷ୍କୃତ କଲା ଓପିସିସି

ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ ହୋଇଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓପିସିସି।

ଆତ୍ମାହୁତିର ଧମକ ଦେଲେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା

ଭୁବନେଶ୍ବର, ୨୩/୦୬: ଗତ ଜୁନ ୨୧ ତାରିଖରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ ହୋଇଥିବା ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି। କଂଗ୍ରେସ ଭବନରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଭିତରେ ପଶି କାଳିମାଡ କରିଥିବା ଅଭିଯୋଗରେ ୫ ଜଣଙ୍କୁ ଦଳରୁ ବହିଷ୍କାର କରିଛି ଓପିସିସି।

ଓପିସିସିର ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା, ଏନଏସୟୁଆଇର ସମ୍ପାଦକ ସନ୍ଦୀପ ରାଉତରାୟ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଅମରେଶ ପରିଡ଼ା, ଏନଏସୟୁଆଇର ରାଜ୍ୟ ସମ୍ପାଦକ ଆର୍ଯ୍ୟନ ସାସମଲଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଓପିସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ୟପକ୍ଷରେ, ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା। ଥାନାରେ ଧାରଣାରେ ବସିଛନ୍ତି ଶ୍ରୀୟା। ସେ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ତାଙ୍କର କୌଣସି ପ୍ରକାର ସମ୍ପୃକ୍ତି ନାହିଁ। ବିନା କାରଣରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। କାରଣ ନ ଦର୍ଶାଇଲେ ପିସିସି ସଭାପତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏବଂ ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଦାୟର କରିବେ ବୋଲି ଚେତାବନୀ ଦେବା ସହ ଆତ୍ମାହୁତିର ଧମକ ଦେଇଛନ୍ତି।