ସ୍ଥାୟୀ ଅଟୋ ଷ୍ଟାଣ୍ଡ ପାଇଁ ଅଣ୍ଟା ଭିଡିଲେ ବରଗଡ଼ ବିଧାୟକ

ସ୍ଥାୟୀ ଅଟୋ ଷ୍ଟାଣ୍ଡର ବ୍ୟବସ୍ଥା କରିବା ପାଇଁ ବରଗଡ଼ ବିଭିନ୍ନ ଛକ ବୁଲି ଦେଖିଲେ ବିଧାୟକ।

ଅଟୋ ଚଳାଇଲେ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ବରଗଡ଼, ୨୪/୦୬: ବରଗଡ଼ ସହରରେ ସ୍ଥାୟୀ ଅଟୋ ଷ୍ଟାଣ୍ଡର ବନ୍ଦୋବସ୍ତ କରିବା ବିଭିନ୍ନ ସ୍ଥାନର ନିରୀକ୍ଷଣ କରିଛନ୍ତି ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ। ସୋମବାର ସକାଲ ୭ଟା ସମୟରେ ବରଗଡ଼ ଗାନ୍ଧୀ ଛକ ସହ ଅନ୍ୟ ସ୍ଥାନ ନିରୀକ୍ଷଣ କରି ଅଟୋ ମାଲିକ ସଂଘର ସମସ୍ୟା କିପରି ଦୂର ହୋଇପାରିବ ଏବଂ ଅଟୋ ରଖିବା ପାଇଁ କୌଣସି ସମସ୍ୟା ନ ହେବ ସେ ନେଇ ବିଚାର ବିମର୍ଶ କରିଥିଲେ। ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଓ ଆଂଚଳିକ ପରିବହନ ଅତିରିକ୍ତ ଅଧିକାରୀ ଅଶୋକ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଅଟୋ ରିକ୍ସା ମାଲିକ ସଂଘର ରୌପ୍ୟ ଜୟନ୍ତୀ ପାଳନ ହୋଇଥିଲା। ଏହି ଉତ୍ସବରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ତାଙ୍କୁ ଏହି ସମସ୍ୟା ସମ୍ପର୍କରେ ଅଟୋ ଚାଳକ ସଂଘ ଜଣାଇ ଥିଲେ। ଆଜି ଏହାର ସମାଧାନ ପାଇଁ ବିଧାୟକ ବରଗଡ଼ର ଗାନ୍ଧୀ ଛକ, ଭଟଲି ଛକ, ବାନ୍ଦୁ ଟିକ୍ରା ଛକ, ସରକାରୀ ବସଷ୍ଟାଣ୍ଡ, ବେସରକାରୀ ବସଷ୍ଟାଣ୍ଡ ସହ ବହୁ ଜାଗା ବୁଲି ଦେଖିଥିଲେ। ପ୍ରିତମ ସିଂ, ଅକ୍ରୁର ମଲ୍ଲିକ, ପ୍ରଶାନ୍ତ ବେହେରାଙ୍କ ସମେତ ଅଟୋ ଚାଳକ ସଂଘର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଅଟୋ ଚଳାଇ ଅଟୋ ଚାଳକଙ୍କୁ ଉତ୍ସାହିତ କରିଥିଲେ ଓ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।