ସାଂସଦଙ୍କୁ ପାଠ ପଢାଇଲେ ନବୀନ: ରାଜ୍ୟସଭାରେ ଓଡ଼ିଶାର ସ୍ୱର ହେବ ବିଜେଡି

ଜୁନ ୨୭ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ନବୀନ ନିବାସରେ ସଂସଦୀୟ ବୈଠକ

ଭୁବନେଶ୍ବର, ୨୪/୦୬: ଏଥର ହେବ କଡା ଟକ୍କର। ସଂସଦରେ ହେବ ଜୋରଦାର ଲଢେଇ। ଆଉ ନରମ ଆଭିମୁଖ୍ୟ ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବ ବିଜେଡ଼ି। ଓଡ଼ିଶାର ସ୍ୱାର୍ଥ ସବୁଠୁ ଉପରେ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କଲେ ବିଜେଡ଼ି ସ୍ୱର ଉତ୍ତୋଳନ କରିବ। ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଗୃହରେ ଉଠାଇବ। ରାଜ୍ୟସଭାରେ ପ୍ରତିଟି ପ୍ରସଙ୍ଗକୁ ଶାଣିତ ଭାବେ ଉଠାଇବ ବିଜେଡି।

ଆଜି ନବୀନ ନିବାସରେ ଅନୁଷ୍ଠିତ ସଂସଦୀୟ ବୈଠକରେ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସଭା ସାଂସଦମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ସଂସଦୀୟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଆଗାମୀ ରଣନୀତି ପ୍ରସ୍ତୁତ ହୋଇଛି। ଜୁନ ୨୭ରୁ ଜୁଲାଇ ୩ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ଏବେଠୁ ଦଳର ସାଂସଦଙ୍କୁ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ।

ବୈଠକରେ ସାଂସଦ ସସ୍ମିତ ପାତ୍ର, ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ମମତା ମହନ୍ତ, ସୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜାତୀୟ ରାଜପଥ, ପ୍ରଥମ ଫେଜରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୨୦ ଲକ୍ଷ ପକ୍କା ଘର, ଓଡ଼ିଶାର ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଜୋର ଦେବ ବିଜେଡି।

ସେହିଭଳି ସାଂସଦ ସୁଲତା ଦେଓ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ସବୁବେଳେ ଗୃହରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉଠାଇଛି। ଗୃହରେ ମହାନଦୀ ପ୍ରସଙ୍ଗ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭିତ୍ତିଭୂମି ସମ୍ପର୍କରେ ପ୍ରଶ୍ନ ଉଠାଇଛି ଏବଂ ଆଗକୁ ମଧ୍ୟ ଏହି ସବୁ ପ୍ରସଙ୍ଗ ବ୍ୟତୀତ ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପାଇଁ ସ୍ୱର ଉତ୍ତୋଳନ କରିବ ବୋଲି ସାଂସଦ କହିଛନ୍ତି।