ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାର ତାରିଖ ଓ ରୂପରେଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।

ସୂଚନା ଦେଲେ ଆଇନମନ୍ତ୍ରୀ

ଭୁବନେଶ୍ବର, ୨୪/୦୬: ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାର ତାରିଖ ଓ ରୂପରେଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସରକାର ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି। ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ତାରିଖ ଘୋଷଣା କରାଯିବ ଏବଂ ରତ୍ନଭଣ୍ଡାର ଭିତରେ ଥିବା ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ।

ମନ୍ଦିରର ଗର୍ଭଗୃହ ନିକଟରେ ଥିବା ରତ୍ନ ଭଣ୍ଡାରରେ ମନ୍ଦିରର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଯେପରିକି ହୀରା, ସୁନା ଓ ରୂପା ସମେତ ଅନେକ ମୂଲ୍ୟବାନ ଅଳଙ୍କାର ରହିଛି। ମନ୍ଦିରର ନିୟମ ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ସମସ୍ତ ସୁନା ଓ ଅଳଙ୍କାର ରତ୍ନ ଭଣ୍ଡାରର ଦୁଇଟି କୋଠରୀ- ଭିତର କୋଠରୀ ଓ ବାହ୍ୟ କୋଠରୀରେ ସଂରକ୍ଷିତ ରୁହେ। ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ବାହାର କୋଠରୀରେ ଥିବା ଅଳଙ୍କାର ବ୍ୟବହୃତ ହେଉଥିଲେ ହେଁ ୧୯୭୮ ମସିହାରୁ ଭିତର ଗୃହ ଖୋଲାଯାଇନାହିଁ।

ଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ପ୍ରତି ତିନି ବର୍ଷରେ ରତ୍ନଭଣ୍ଡାର ଭିତର କୋଠରୀରେ ରଖାଯାଇଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀର ଅଡିଟ୍ ହେବା କଥା। କିନ୍ତୁ ୧୯୭୮ ମସିହାରୁ ରତ୍ନଭଣ୍ଡାର ଭିତର କୋଠରୀ ଖୋଲା ନ ହେବାରୁ ବହୁ ବିବାଦ ଲାଗି ରହିଛି। ବିଜେଡି ସରକାରରେ ଥିବା ସମୟରେ ସେତେବେଳେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ପୂର୍ବ ସରକାରଙ୍କୁ ଘେରିଥିଲେ। ଏହା ସହିତ ନିର୍ବାଚନ ସମୟରେ ରତ୍ନଭଣ୍ଡାର ଖୋଲିବାକୁ ମୁଖ୍ୟ ପ୍ରସଙ୍ଗ ବନାଇଥିଲା ବିଜେପି। ବିଜେପି ସରକାରକୁ ଆସିବା ପରେ ଏବେ ରତ୍ନଭଣ୍ଡାର ଖୋଲିବା ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଛି।