ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର

ଶ୍ରୀମନ୍ଦିର ଛତିଶା ନିଯୋଗ ନୀତି ବୈଠକ ଅନୁଷ୍ଠିତ ହୋଇଯାଇଛି।

୧୯୭୧ ମସିହା ନୀତି ଅନୁସାରେ ଚଳିତ ରଥଯାତ୍ରା ନୀତି ନିର୍ଘଣ୍ଟ ନିଷ୍ପତ୍ତି

ଭୁବନେଶ୍ବର, ୨୪/୦୬: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଛତିଶା ନିଯୋଗ ନୀତି ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଆଗାମୀ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନୀତିକାନ୍ତି ନୀତି ନିର୍ଘଣ୍ଟରେ ମୋହର ମାରିଛନ୍ତି ସବ କମିଟି।

ଜୁଲାଇ ୬ ତାରିଖ ପଟି ଦିଅଁଙ୍କଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ। ୭ ତାରିଖ ରାତ୍ର ୨ଟାରେ ମଙ୍ଗଳ ଆଳତି ପରେ ଭୋର ସମୟରଜ ଦ୍ୱାର ଫିଟିବା ପରେ ନେତ୍ରୋତ୍ସବ ନୀତି ସମ୍ପନ୍ନ ହେବ। ସେହିଦିନ ୧୧ଟା ବେଳେ ରଥ ପ୍ରତିଷ୍ଠା ଓ ଅପରାହ୍ନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ଶେଷ ହେବ। ଅପରାହ୍ନ ୪ଟାରେ ଛେରାପହଁରା ହୋଇ ଅପରାହ୍ନ ୫ଟାରେ ରଥ ଟଣା ହେବ।

ଉଲ୍ଲେଖଯୋଗ୍ୟ ଯେ,୧୯୭୧ ମସିହା ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ଚଳିତ ବର୍ଷର ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଚଳିତ ଥର ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି।