ଆଜିଠୁ ଲାଗୁ ହେଲା ୩ ନୂଆ ଫୌଜଦାରୀ ଆଇନ

ବର୍ଷ ବର୍ଷ ଧରି ଚାଲି ଆସୁଥିବା ବ୍ରିଟିଶ୍ ଆଇନରେ ପରିବର୍ତ୍ତନ କରାଯାଇ ତିନୋଟି ନୂଆ ଫୌଜଦାରୀ ଆଇନ ଅଣାଯାଇଛି।

ଭୁବନେଶ୍ବରରେ ରାଜ୍ୟର ପ୍ରଥମ ମାମଲା ରୁଜୁ

ଭୁବନେଶ୍ବର, ୦୧/୦୭: ଜୁଲାଇ ପହିଲା ଅର୍ଥାତ୍ ସୋମବାର ଠାରୁ ଲାଗୁ ହୋଇଛି ଦେଶରେ ନୂଆ ଆଇନ। ବହୁ ବର୍ଷରୁ ଚାଲି ଆସୁଥିବା ବ୍ରିଟିଶ୍ ଆଇନରେ ପରିବର୍ତ୍ତନ କରାଯାଇ ତିନୋଟି ନୂଆ ଫୌଜଦାରୀ ଆଇନ ଅଣାଯାଇଛି। ଭାରତୀୟ ପିଙ୍ଗଳ କୋଡ୍, ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଫୌଜଦାରୀ ଦଣ୍ଡବିଧି ଆଇନ, ୧୮୯୮ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩; ଏବଂ ଭାରତୀୟ ସାକ୍ଷ୍ୟ ଆଇନ, ୧୮୭୨ ବଦଳରେ ଭାରତୀୟ ସାକ୍ଷୀ ଅଧିନିୟମ, ୨୦୨୩ ଲାଗୁ ହୋଇଛି। ପୂର୍ବରୁ ୫୧୧ଟି ସେକ୍ସନ ଥିବା ବେଳେ ଏବେ ଏଥିରେ ୩୫୬ଟି ସେକ୍ସନ ରହିଛି। ଏହି ନୂଆ ଆଇନ ଦ୍ୱାରା ଦଣ୍ଡବିଧାନକୁ ଅଗ୍ରାଧିକାର ଦିଆ ନଯାଇ ତ୍ୱରିତ ନ୍ୟାୟ ପ୍ରଦାନକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।

ନୂଆ ଆଇନରେ ଜିରୋ ଏଫ୍ଆଇଆର, ଥାନାରେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଅନଲାଇନ ଯୋଗେ ଅଭିଯୋଗ କରିହେବ। ଜିରୋ ଏଫ୍ଆଇଆର ଅର୍ଥାତ୍ ଅପରାଧ ଯେଉଁ ସ୍ଥାନରେ ଘଟିଲେ ମଧ୍ୟ ପୀଡିତ ଯେକୌଣସି ସ୍ଥାନରେ ଏଫ୍ଆଇଆର ଦାଖଲ କରି ପାରିବେ। ସେହିପରି ଏସ୍ଏମ୍ଏସ୍ ମାଧ୍ୟମରେ ସମନ ଜାରି କରାଯାଇପାରିବ ଏବଂ ଜଘନ୍ୟ ଅପରାଧ ଘଟିଥିବା ସ୍ଥାନର ପ୍ରମାଣ ସ୍ୱରୂପ ଭିଡିଓଗ୍ରାଫି କରିବେ ଫୋରେନସିକ ସାଇଣ୍ଟିଫିକ୍ ଟିମ୍। ନୂଆ ଆଇନ ବ୍ୟବସ୍ଥାରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର କଠୋର ଦଣ୍ଡ ମିଳିବ।

ଆଜିଠୁ ଲାଗୁ ହୋଇଥିବା ନୂଆ ଭାରତୀୟ ନ୍ୟାୟ ସଂହିତା ଆଇନ ପରେ ରାଜ୍ୟରେ ପ୍ରଥମ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ କମିସନରେଟ୍ ପୁଲିସ ପକ୍ଷରୁ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ବାପା ଗୌରାଙ୍ଗଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପୁଅ। ଗତ ୨୯ ତାରିଖ ରାତିରେ ଚିନ୍ତାମଣିଶ୍ୱର ମନ୍ଦିର ପ୍ରଥମ ଲେନ୍ ପାଖରେ ୩ ଜଣ ଦୁର୍ବୃତ୍ତ ଧାରୁଆ ବ୍ଲେଡରେ ବେକକୁ କାଟି ଦେଇଥିବା ଅଭିଯୋଗ ଆସିଛି।