ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର, ୦୪/୦୭: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧିବଦ୍ଧ ଭାବେ କାର୍ଯ୍ୟାଳୟରେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହି ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଦିନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସ୍ଆରସି ଏବଂ ଅନ୍ୟ ଅଧିକାରୀଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅଳ୍ପ ବର୍ଷାରେ ସହରଗୁଡିକ ଜଳମଗ୍ନ ହୋଇ ଯାଉଥିବାରୁ ରାଜ୍ୟର ସହରାଞ୍ଚଳରେ କୃତ୍ରିମ ବନ୍ୟା ନିୟନ୍ତ୍ରଣ ପାଇଁ ୨୦୦ କୋଟି ଟଙ୍କାର ଖର୍ଚ୍ଚ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାର ଦାୟିତ୍ୱ ଆଇଆଇଟି ଦିଲ୍ଲୀକୁ ଦିଆଯାଇଛି। ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବ। ଏ ନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ରିପୋର୍ଟ ଦେବ ଆଇଆଇଟି ଦିଲ୍ଲୀ।

ବର୍ଷା ଦିନରେ ପ୍ରାୟତଃ ସାପ କାମୁଡା ରୋଗୀ ଦେଖିବାକୁ ମିଳୁଥିବାରୁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ସହିତ ଆଣ୍ଟି ସ୍ନେକ ଭେନୋମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ୍ରାଫ ୟୁନିଟକୁ ୨୦ରୁ ୩୦କୁ ବୃଦ୍ଧି କରିବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପାଣିପାଗ ବିଭାଗ ସହିତ ସମନ୍ବୟ ରକ୍ଷା କରି ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।