ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଶପଥ ପାଠ କରାଇଲେ ରାଜ୍ୟପାଳ

ରାଞ୍ଚି, ୦୪/୦୭: ଝାଡ଼ଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍। ଜେଲରୁ ମୁକୁଳିବାର ଷଷ୍ଠ ଦିନରେ ସେ ପୁଣି ଥରେ ରାଜ୍ୟର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଜାନୁଆରୀ ୩୧ରେ ଗିରଫ ହେବାର ୧୫୬ ଦିନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ଶପଥ ନେଲେ।

ଶପଥ ନେବା ପରେ ହେମନ୍ତ ସୋରେନ କହିଛନ୍ତି ଯେ ବର୍ତ୍ତମାନର ମେଣ୍ଟ ସରକାର ୨୦୧୯ରୁ ଲୋକଙ୍କ ଭାବନା ଅନୁଯାୟୀ ସମସ୍ତ କାର୍ଯ୍ୟ ଯୋଜନା କରିଛନ୍ତି। ରାଜନୈତିକ ଉତଥାନ-ପତନ ମଧ୍ୟରେ ଚମ୍ପାଇ ସୋରେନ ଏହାକୁ ଆଗକୁ ବଢ଼ାଇଥିଲେ କାରଣ ମୁଁ ଜେଲରେ ଥିଲି। ଆଜି ମୁଁ ଅଦାଲତଙ୍କ ଆଦେଶରୁ ମୁକୁଳିଛି। ପୁଣି ଥରେ ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ଆଗକୁ କାମ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କହିଛନ୍ତି ଯେ, ନୂଆ ସରକାର ଗଠନ ପାଇଁ ମୁଁ ହେମନ୍ତ ସୋରେନଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ଆଶା କରୁଛୁ ଯେ ସେମାନେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ।”