ରାଜ୍ୟରେ ନିର୍ମାଣ ହେବ ଓଡ଼ିଆ ଅସ୍ମିତା ଭବନ

ଆଜି ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର, ୦୪/୦୭: ରାଜ୍ୟରେ ଓଡ଼ିଆକୁ ଦିଆଯିବ ଗୁରୁତ୍ୱ। ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ଗଠନ ହେବ ଓଡ଼ିଆ ଭାଷା କମିଶନ। ଓଡ଼ିଆ ଭାଷାକୁ ନେଇ ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଭାବେ ସରକାରୀ କାର୍ଯ୍ୟ ତୁଲାଉଥିଲେ ମୁଖ୍ୟମନ୍ତ୍ରୀ। ହେଲେ, ଲୋକସେବା ଭବନର ତୃତୀୟ ମହଲାରେ ନବୀକରଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରାଯାଇଛି। ଆଜି ସକାଳ ସାଢ଼େ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।

ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରାଯିବ। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯିବ। ଆବଶ୍ୟକ ହେଲେ, ସରକାରୀ ଭାଷା ଆଇନରେ ସଂଶୋଧନ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ସହ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ମଧ୍ୟ ପୁନର୍ଗଠନ କରାଯିବ। ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ଓଡିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ। ଓଡ଼ିଆ ଅସ୍ମିତା ଭବନ ଓ ଅନୁବାଦ ଏକାଡେମୀ ନିର୍ମାଣ କରାଯିବ। ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ କରାଯିବ। ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ କମିଶନ ଗଠନ ହେବ। ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କ୍ଷେତ୍ରରେ ବ୍ୟବସ୍ଥା କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ। ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନଥିପତ୍ର ଓଡ଼ିଆରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।