ବନ୍ଦ ହେବନି ଆହାର ଯୋଜନା

କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଆବଶ୍ୟକ ପଡିଲେ ନାମ ପରିବର୍ତ୍ତନ ହୋଇପାରେ: ମନ୍ତ୍ରୀ

ଭୁବନେଶ୍ବର, ୧୮/୦୭: ଆହାର କେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହ ମିଶି ଖାଦ୍ୟ ଖାଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ମନ୍ତ୍ରୀ। ମନ୍ତ୍ରୀ ପ୍ରଥମେ ଏକ କୁପନ୍ କିଣି ଲୋକଙ୍କ ସହ ଧାଡ଼ିରେ ଠିଆ ହୋଇ ନିଜ ପାଳି ଆସିବା ପାଇଁ ଅପେକ୍ଷା କରିଥିଲେ। ପରେ କୁପନ ଦେଇ ଖାଦ୍ୟ ଆଣି ଖାଇଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକଙ୍କଠାରୁ ଆହାର କେନ୍ଦ୍ରରେ ସ୍ୱଚ୍ଛତା ଓ ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ। ଏହା ସହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ହିତ ନିମନ୍ତେ ଏହି ଆହାର ଯୋଜନା ଚାଲିଛି। ତେଣୁ ଆହାର ଯୋଜନା ବନ୍ଦ ହେବ ନାହିଁ। ପୂର୍ବ ପରି ଚାଲୁ ରହିବ। ଯଦି ଆବଶ୍ୟକ ପଡେ, ତାହାଲେ ନାମ ପରିବର୍ତ୍ତନ କରାଯାଇପାରେ। ସରକାର ଲୋକଙ୍କୁ ଏଥିରେ ସବସିଡି ଯୋଗାଉଛନ୍ତି। ରାଜ୍ୟ ସରକାର ୨୩ ଟଙ୍କା ଦେଉଥିବା ବେଳେ ଲୋକମାନେ ୫ ଟଙ୍କା ଦେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ।