ପ୍ଲାଷ୍ଟିକ ପାତ୍ରରେ ପାଣି ପାଇବେନି ବାବା ଧବଳେଶ୍ଵର

ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ମନା

କଟକ, ୧୮/୦୭: ଆଗକୁ ଶ୍ରାବଣ ମାସ ଆସୁଛି। ଲକ୍ଷ ଲକ୍ଷ ଭକ୍ତ ବୋଲବମ୍ ଯିବେ। ଏ ନେଇ କଟକ ଜିଲ୍ଲାର ଧବଳେଶ୍ୱର ମନ୍ଦିରରେ ଜାରି କରାଯାଇଛି କଟକଣା। ବାବା ଧବଳେଶ୍ୱରଙ୍କ ପୀଠରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।

ଚଳିତ ବର୍ଷ ଶ୍ରାବଣ ମାସ ପାଇଁ ବାବା ଧବଳେଶ୍ୱର ମନ୍ଦିର କର୍ତ୍ତୃପକ୍ଷ ପ୍ଲାଷ୍ଟିକ ପାତ୍ରକୁ ନିଷିଦ୍ଧ କରିଛନ୍ତି। ଧବଳେଶ୍ୱରଙ୍କ ପୀଠରେ ପ୍ଲାଷ୍ଟିକ ପାତ୍ରରେ ପାଣି ଆଣିଲେ କାଉଡିଆଙ୍କୁ ପାଣି ଢାଳିବାକୁ ଅନୁମତି ଦିଆଯିବ ନାହିଁ। ପାଣି ଢାଳିବା ପାଇଁ କେବଳ ପିତ୍ତଳ କିମ୍ବା ମାଟି ପାତ୍ରରେ ହିଁ ଅନୁମତି ଦିଆଯିବ। ଏହାବ୍ୟତୀତ ମନ୍ଦିର ଭିତରକୁ ପ୍ଲାଷ୍ଟିକ୍ ବାହୁଙ୍ଗା ନେବା ପାଇଁ ଅନୁମତି ଦିଆଯିବ ନାହିଁ।

ଚଳିତ ବର୍ଷ ଜୁଲାଇ ୨୨, ଜୁଲାଇ ୨୯, ଅଗଷ୍ଟ ୫, ଅଗଷ୍ଟ ୧୨ ଏବଂ ଅଗଷ୍ଟ ୧୯ ତାରିଖରେ ଶ୍ରାବଣ ମାସର ସୋମବାର ପଡ଼ୁଛି। ଏହି ୫ ଦିନ ପାଇଁ କଟକଣା ଜାରି କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ସେହିପରି ମନ୍ଦିରରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ବ୍ୟାରିକେଡ୍ ଦେଇ ଯିବାକୁ ପଡ଼ିବ। ପରିମଳ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ।