ପୁଣି ଟ୍ରେନ୍ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସ

ଉତ୍ତରପ୍ରଦେଶର ଗୋଣ୍ଡା ରେଳ ଷ୍ଟେସନ ନିକଟରେ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ

୪ ମୃତ, ଅନେକ ଆହତ

ଉତ୍ତରପ୍ରଦେଶ, ୧୮/୦୭: ପୁଣି ଘଟିଛି ଏକ ବଡ ଧରଣର ରେଳ ଦୁର୍ଘଟଣା। ଉତ୍ତରପ୍ରଦେଶର ଗୋଣ୍ଡା ରେଳ ଷ୍ଟେସନ ନିକଟରେ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ବୁଧବାର ରାତି ୧୧ଟା ୩୫ରେ ଚଣ୍ଡିଗଡ଼ ଷ୍ଟେସନରୁ ବାହାରିଥିବା ଏହି ଟ୍ରେନ୍ ଆସାମର ଡିବ୍ରୁଗଡ଼ ଅଭିମୁଖେ ଯାତ୍ରା କରିଥିବା ଏହି ଏକ୍ସପ୍ରେସ୍ ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ- ଝିଲାଇ ମଧ୍ୟରେ ଥିବା ଟିକାଉରା ନିକଟରେ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ୧୫ଟି ଆମ୍ବୁଲାନ୍ସ ଓ ୪୦ ଜଣ ଡାକ୍ତରୀ ଟିମ୍ ରହିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଟ୍ରେନର ଉଭୟ ଲୋକୋ ପାଇଲଟ ସୁରକ୍ଷିତ ଅଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି।