ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ

ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ

ଦଶପଲ୍ଲା, ୨୧/୦୭: ସ୍ୱାଧୀନତାର ୭୭ବର୍ଷ ବିତି ଯାଇଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀକୁ ଲକ୍ଷ୍ଯ ରଖାଯାଇ ଯୋଜନା ପ୍ରସ୍ତୁତି ଚାଲିଛି। ଭୋଟ ପୂର୍ବରୁ ପ୍ରତିଶ୍ରୁତିର ପାହାଡ଼ ଠିଆ କରି ରାଜନେତା ଭୋଟ ଭିକ୍ଷା କରୁଛନ୍ତି। ହେଲେ ଅତ୍ୟାବଶ୍ୟକୀୟ ତଥା ମୌଳିକ ସୁବିଧା ଏବେବି ଅପହଞ୍ଚ ହୋଇରହିଛି। ଯାହା ଦେଖିଲେ ଓ ଶୁଣିଲେ ବିକାଶ ବାଟହୁଡିବା ଭଳି ମନେ ହେଉଛି। ରବିବାର ଦିନ ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ମଠସାହି ଗ୍ରାମର ସରୋଜିନୀ ପ୍ରଧାନ (୨୮ବର୍ଷ)ଙ୍କୁ ଷ୍ଟ୍ରେଚରରେ ବୁହାହେବା ଘଟଣା ଏସବୁକୁ ସ୍ପଷ୍ଟ ପ୍ରମାଣିତ କରେ। ସରୋଜିନୀଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଆମ୍ବୁଲାନ୍ସର ସହାୟତା ଲୋଡିଥିଲେ। ଆମ୍ବୁଲାନ୍ସ ଗଲା, ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ନପାରି ଦୁଇ କିଲୋମିଟର ଦୂରରେ ଥକ୍କା ମାରିଲା। ବାଧ୍ଯହୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହୋଇ ସରୋଜିନୀଙ୍କୁ ଅଣାଯାଇ ଅପେକ୍ଷାରତ ଆମ୍ବୁଲାନ୍ସ ସହାୟତାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।