ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ନାହାଁନ୍ତି ରାଜ୍ୟ ସରକାର: ବିଜେଡି

କ୍ରୀଡା ପୁରସ୍କାରରେ ନାଁ ହଟାଇବାକୁ ନିଷ୍ପତ୍ତି ସାଢେ ୪ କୋଟି ଓଡିଆଙ୍କୁ ଆଘାତ ଦେଇଛି।

ଅପରିପକ୍ୱତା, ଅନଭିଜ୍ଞତା ଓ ଅସହିଷ୍ଣୁତାର ପରିଚୟ ଦେଉଛି ବିଜେପି: ବିଜେଡି

ଭୁବନେଶ୍ୱର, ୨୧/୦୭: ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି ଭାବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ଏହା ତାଙ୍କର ଅପରିପକ୍ୱତା ଓ ଅସହିଷ୍ଣୁତାର ପରିଚୟ ଦେଇଛି ବୋଲି ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର ।

ଡ.ସାମନ୍ତସିଂହାର ଆହୁରି କହିଛନ୍ତି ଯେ, ବିଜେପି ସରକାର ବୋଧହୁଏ ଓଡିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କ ଖ୍ୟାତିକୁ ହଟାଇବାକୁ ଲାଗିପଡିଛନ୍ତି । ଏହା ଓଡିଆ ଜାତି ପାଇଁ ଦୁର୍ଭାଗ୍ୟର କଥା । ବିଜୁ ବାବୁଙ୍କ ନାଁ ହଟେଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ସାଢେ ୪ କୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜୁ ବାବୁ ଓଡିଆ ଜାତିର ଅସ୍ମିତାର ପରିଚୟ କି ନୁହେଁ ।

ଯେଉଁଭଳି ଭାବେ କ୍ରୀଡା ପୁରସ୍କାରରୁ ତାଙ୍କ ନାଁ ହଟାଇଲେ । ସେଥିରୁ ଜଣାପଡୁଛି ଓଡିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ଠିକ୍ ଭାବେ ବୁଝିନି ରାଜ୍ୟ ସରକାର । ନାଁ ବଦଳାଇବା ପାଇଁ ଗତକାଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଖୋଦ୍ କହୁଛନ୍ତି ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରେ ରହିବ । ଏଭଳି ମତ ପାର୍ଥକ୍ୟରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି । ଏଭଳି ଅପରିପକତ୍ୱା ଦେଖାଇ ବିଜେପି ସରକାର ଜନତାଙ୍କ ପାଖରେ ଲୋକହସା ନହେଉ । କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ । ଅନ୍ୟପଟେ କ୍ରୀଡାମନ୍ତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିବେ କି ବୋଲି ପ୍ରଶ୍ନ କରିଛନ୍ତି ଡ. ସାମନ୍ତସିଂହାର ।

ସମ୍ବିଧାନରେ ଅଛି ‘ସାମୂହିକ ଉତ୍ତରଦାୟିତ୍ୱ’ । ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଭିନ୍ନ ମନ୍ତ୍ରୀ ବିଭିନ୍ନ ସମୟରେ ଦାୟିତ୍ୱହୀନ ବୟାନବାଜୀ କରୁଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର ମଧ୍ୟ କରୁଛନ୍ତି । ଅନେକ ସମୟରେ ରାଜ୍ୟହିତରେ କମ୍ ବରଂ ପୂର୍ବ ବିଜେଡି ସରକାର ଏବଂ ତାଙ୍କ ନେତାଙ୍କ ବିରୋଧରେ ଆକ୍ରୋଶମୂଳକ ରାଜନୀତି ଓ ପ୍ରତିଶୋଧପରାୟଣ ରାଜନୀତି କରି ନେତାଙ୍କୁ ନିନ୍ଦୀତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ବିଜେପି ସରକାର ଭୁଲିବା ଉଚିତ ନୁହେଁ । ଶାସନ ଗୋଟିଏ ନିରନ୍ତର ପ୍ରକ୍ରିୟା ଏବଂ ପୂର୍ବ ସରକାରଙ୍କର ଲୋକାଭିମୂଖୀ କାର୍ଯ୍ୟଗୁଡିକୁ ସ୍ୱୀକାର କରି ଆଗେଇନେବା ହେଉଛି ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା । କିନ୍ତୁ ବିଜେପି ଯେଉଁଭଳି ଭାବେ ବିଜୁ ଜନତା ଦଳର ୨୪ ବର୍ଷର ସୁଶାସନ ଏବଂ ବିଜୁ ବାବୁଙ୍କ ଦଶନ୍ଧି ଦଶନ୍ଧି ଧରି ଅବଦାନକୁ ଜନମାନସ ଏବଂ ଇତିହାସରୁ ହଟାଇବା ପାଇଁ ଅପଚେଷ୍ଟା କରୁଛି । ଏହା ନିନ୍ଦନୀୟ ଏଥିରୁ କ୍ଷାନ୍ତ ରୁହନ୍ତୁ ।