ଆରମ୍ଭ ହେଲା ବିଧାନସଭା ଅଧିବେଶନ

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କଲେ ବିଜେଡ଼ି ଓ କଂଗ୍ରେସ।

ପ୍ରଥମ ଦିନରୁ ହଟ୍ଟଗୋଳ: କକ୍ଷତ୍ୟାଗ କଲେ ନବୀନ

ଭୁବନେଶ୍ୱର, ୨୨/୦୭: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ନବଗଠିତ ବିଜେପି ସରକାର ସହ ବିରୋଧି ଦଳ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜେଡ଼ି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୃହରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇଛନ୍ତି।

ଅଧିବେଶନ ଆରମ୍ଭରୁ ହିଁ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ଦଳ। ନବୀନ ପଟ୍ଟନାୟକଙ୍କ ସମେତ ବିଜେଡ଼ି ଓ କଂଗ୍ରେସ ଦଳର ସଦସ୍ୟମାନେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ହିଁ କକ୍ଷତ୍ୟାଗ କରିଥିଲେ ବିରୋଧୀ। ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏଏସ୍ଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାରେ ହୋହଲ୍ଲା କରିଥିଲେ ବିରୋଧୀ। ପୀଡ଼ିତ ଏଏସ୍ଓଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ନମିଳିବା ଘଟଣାରେ ବିରୋଧୀ ଦଳ ପ୍ରତିକ୍ରିୟାଶୀଳ ହୋଇଥିଲେ। କିନ୍ତୁ ତା’ପରେ ବି ରାଜ୍ୟପାଳ ଅଭିଭାଷଣ ରଖିବା ଜାରି ରଖିଥିଲେ।

ରାଜ୍ୟପାଳ ଗୃହର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବାରୁ ଧନ୍ଯବାଦ ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳ କହିଥିଲେ, ମୋ ସରକାର ନିରପେକ୍ଷତାର ସହ କାର୍ଯ୍ୟ କରିବ। ଯୁବକଙ୍କୁ ରୋଜଗାର ଦେବା ମୋ ସରକାରର ପ୍ରାଥମିକତା। କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା କରାଯାଇ ୮ରୁ ୧୭ ବର୍ଷର କ୍ରୀଡାବିତଙ୍କୁ ଟ୍ରେନିଂ ଦିଆଯିବ। ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ଯ୍ୟକାରୀ କରାଯିବ। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। ମହିଳା ସଶକ୍ତିକରଣ ଓ ଶିକ୍ଷାକୁ ଗୁରୁତ୍ବ ଦିଆଯିବ। ଆଦିବାସୀ ଅଞ୍ଚଳରେ ଧାନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ଓଡ଼ିଶାର ପ୍ରାକୃତିକ ସମ୍ପଦର ସଠିକ ଉପଯୋଗ କରି ପର୍ଯ୍ୟଟନ ବୃଦ୍ଧି, ସ୍ୱାସ୍ଥ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ପୁଞ୍ଜିନିବେଶ ସୁନିଶ୍ଚିତ କରାଯିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟପାଳ କହିଥିଲେ।