ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

କହିଲେ ଭୁଶୁଡୁଛି ରାଜ୍ୟର ଆଇନ ଶୃଙ୍ଖଳା

ଭୁବନେଶ୍ୱର, ୨୨/୦୭: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଏହି ପରିପ୍ରେକ୍ଷୀରେ ଗୃହ ଆରମ୍ଭରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣକୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା। ବିଜେପି ଓଡ଼ିଆ ଅସ୍ମିତା କଥା ଉଠାଉଥିବା ବେଳେ ରାଜ୍ୟପାଳ ହିନ୍ଦୀରେ ଅଭିଭାଷଣ ରଖିବା ଓଡ଼ିଆଙ୍କ ପ୍ରତି ପଦାଘାତ ବୋଲି କହିଥିଲା ବିରୋଧୀ। ସେହିପରି ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏଏସ୍ଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଉପରେ ପ୍ରଶ୍ନ ଉଠାଇଥିଲା ବିରୋଧୀ ଦଳ। ଏହାକୁ ମୁଖ୍ୟ ପ୍ରସଙ୍ଗ କରି କକ୍ଷତ୍ୟାଗ କରିଥିଲା ବିଜେଡ଼ି ଓ କଂଗ୍ରେସ।

ଏହି ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବର୍ତ୍ତମାନର ରାଜ୍ୟ ସରକାର ପୁରୀ ରାଜଭବନରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ହେତୁ ମୁଁ ଓ ମୋ ଦଳ ଅତି ଦୁଃଖିତ ଓ ଆଶ୍ଚର୍ଯ୍ୟ ମଧ୍ୟ। ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇପଡିବା ଭଳି ମନେ ହେଉଛି। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଯେକୌଣସି ମନ୍ତ୍ରୀ, ବିଧାୟକ ଓ ସାଂସଦ ହୁଅନ୍ତୁ କିମ୍ବା ବରିଷ୍ଠ ସରକାରୀ ଅଧିକାରୀ ଆଇନ ଶୃଙ୍ଖଳା ଭଙ୍ଗ କରୁଥିଲେ, ସେମାନଙ୍କ ବିରୁଦ୍ଧରେ ମୁଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲି। ଏଣୁ ବର୍ତ୍ତମାନର ସରକାର ମଧ୍ୟ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଏହି ଘଟଣାକୁ କେନ୍ଦ୍ର କରି ମୁଁ ଓ ମୋ ଦଳ ଗୃହ ପରିତ୍ୟାଗ କରିଥିଲୁ ବୋଲି ନବୀନ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପୀ ଓଡ଼ିଆ ଅସ୍ମିତା କତା କହି ସରକାର ଗଠନ କରିଛି। କିନ୍ତୁ ଜଣେ ଓଡ଼ିଆଙ୍କୁ ମାଡ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କାହିଁକି ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିବା ସହ ରାଜ୍ୟପାଳଙ୍କୁ ବିଦା କରିବାକୁ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅ ଗିରଫ ନ ହୋଇଛନ୍ତି ସେପର୍ଯ୍ୟନ୍ତ ବିଧାନସଭାରେ କହିବାକୁ ଆମେ ସୁଯୋଗ ଦେବୁନାହିଁ ବୋଲି ତାରା କହିଛନ୍ତି।