୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ: କୃଷି, ମହିଳା, ଶିକ୍ଷା, ନିଯୁକ୍ତିକୁ ଫୋକସ୍

ମୋଦି ୩.୦ ସରକାରର ଆସିଲା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ।

ପୂର୍ବୋଦୟ ସ୍କିମରେ ସାମିଲ ଓଡ଼ିଶା

ନୂଆଦିଲ୍ଲୀ, ୨୩/୦୭: ମୋଦି ୩.୦ ସରକାରର ଆସିଲା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି ସାଧାରଣ ବଜେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର ମଞ୍ଜୁରୀ ପରେ ଆଗତ ହୋଇଥିଲା ବଜେଟ୍। ଲଗାତାର ସପ୍ତମ ଥର ପାଇଁ ଗୃହରେ ବଜେଟ୍ ଉପସ୍ଥାପିତ କରିଛନ୍ତି ନିର୍ମଳା ସୀତାରମଣ। ପୂର୍ବରୁ ୪ ଥର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଥିବା ବେଳେ ୨ ଥର ଅନ୍ତରୀଣ ବଜେଟ୍ ଉପସ୍ଥାପନା କରିଥିଲେ ନିର୍ମଳା।

ଚଳିତ ବଜେଟରେ ରହିଛି ନିର୍ମଳାଙ୍କ ୯ ସୂତ୍ର। କୃଷିରେ ଉତ୍ପାଦକତା ଓ ଅନୁକୂଳନୀୟ; ରୋଜଗାର ଓ କୌଶଳ ପ୍ରଶିକ୍ଷଣ; ସଂସାଧନ ବିକାଶ ଓ ସାମାଜିକ ନ୍ୟାୟ; ଉତ୍ପାଦନ ଓ ସେବା; ସହର ବିକାଶ; ଶକ୍ତି ସୁରକ୍ଷା; ଭିତ୍ତିଭୂମି; ନବୀକରଣ, ବିକାଶ ଓ ଗବେଷଣା ଏବଂ ପରବର୍ତ୍ତୀ ପିଢି ପାଇଁ ବିକାଶ।

ଶିକ୍ଷା, ନିଯୁକ୍ତି ଓ ପ୍ରଶିକ୍ଷଣ ପାଇଁ ୧.୫୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରତିମାସରେ ୫୦୦୦ ଟଙ୍କାର ଇଣ୍ଟର୍ଣ୍ଣସିପ୍ ଭତ୍ତା ମିଳିବ। କୌଣସି ସରକାରୀ ଯୋଜନାର ଲାଭ ପାଉନଥିବା ଛାତ୍ରଙ୍କୁ ମିଳିବ ଋଣ ସହାୟତା। ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ପ୍ରତିବର୍ଷ ୧ ଲକ୍ଷ ଛାତ୍ରଙ୍କୁ ଇ-ଭାଉଚର ମିଳିବ। ନାଳନ୍ଦା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବଜେଟ୍ ଆଗତ ହୋଇଛି। ୧ ହଜାର ଆଇଟିଆଇକୁ ଅପଗ୍ରେଡ କରାଯିବ। ଶ୍ରେଷ୍ଠ ୫୦୦ କମ୍ପାନୀରେ ୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଘୋଷଣା କରାଯାଇଛି। ଯୁବକଙ୍କ ନିଯୁକ୍ତି ପାଇଁ ୨ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ହୋଇଛି। ୧୦୦ଟି ସହରରେ ପ୍ଲଗ୍ ଆଣ୍ଡ ପ୍ଲେ ଉଦ୍ୟୋଗିକ ପାର୍କ ନିର୍ମାଣ ହେବ। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ଲକ୍ଷ୍ଯ ରଖାଯାଇଛି। ଦେଶରେ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କର ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ପିପିପି ମୋଡରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ସୁବିଧା। ଡର୍ମିଟୋରୀ ବ୍ୟବସ୍ଥା ରହିବା ସହ ସୁବିଧାରେ ଶ୍ରମିକମାନେ ରହି ପାରିବେ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧ କୋଟି ଘରକୁ ମାଗଣା ବିଜୁଳି ମିଳିବ। ଏହି ଯୋଜନାରେ ପ୍ରତି ଘରୁ ମାସିକ ୩୦୦ ୟୁନିଟ୍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସ୍ପେଶ୍ ଅର୍ଥନୀତି ୧୦ ବର୍ଷରେ ୫ ଗୁଣା ବଢିବ। ସ୍ପେଶ୍ ରିସର୍ଚ୍ଚ ପାଇଁ ୧୦୦୦ କୋଟିର ବ୍ୟବସ୍ଥା ରହିଛି। ୫ କୋଟି ଆଦିବାସୀଙ୍କ ପାଇଁ ବିଶେଷ ପ୍ୟାକେଜ୍ ଘୋଷଣା କରାଯାଇଛି। ଏମ୍ଏସ୍ଏମ୍ଇ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ବିସ୍ତାର କରାଯିବ। ମହିଳା ଏବଂ ବାଳିକା ବିକାଶ ପାଇଁ ୩ ଲକ୍ଷ କୋଟିର ଆର୍ଥିକ ସହାୟତା ମିଳିବ। ପିଏମ ଆବାସ ଯୋଜନାରେ ୩ କୋଟି ଘର ନିର୍ମାଣ ହେବ। ଅର୍ବାନ ହାଉସିଂ ସ୍କିମ୍ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି। ୧୦୦ଟି ସହରରେ ୧ କୋଟି ନୂଆ ଘର ନିର୍ମାଣ ହେବ ଓ ସ୍ୱନିଧି ଯୋଜନାରେ ସାପ୍ତାହିକ ନୂଆ ବଜାର ପାଇଁ ଯୋଜନା ରହିଛି। ୧୦୦ ବଡ ସହରରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ। ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଘୋଷଣା କରାଯାଇଛି।

ରାଜ୍ୟଗୁଡିକ ପାଇଁ ସିଏପିଇଏକ୍ସ ଲୋନ୍ ସୀମା ବୃଦ୍ଧି ହୋଇଛି। ମୁଦ୍ରା ଲୋନ୍ ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍ ପାଇପାରିବେ। କୃଷି ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ୨ ବର୍ଷରେ ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ତାଲିମ୍ ଦିଆଯିବ। ଚାଷୀଙ୍କୁ ୩୨ ଫସଲର ୧୦୯ ଅମଳକ୍ଷମ ବିହନ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ୍ ଓ ମାର୍କେଟିଂ ପାଇଁ ବ୍ୟବସ୍ଥା କରାଯିବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। ମୁଦ୍ରାସ୍ପ୍ରୀତି ୪ ପ୍ରତିଶତ ରଖିବାକୁ ଆକଳନ କରାଯାଇଛି।

ଓଡ଼ିଶାରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଛି। ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା। ଓଡିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରାଯିବ। ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ଓ ପୀଠର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା କରାଯାଇଛି। ବିହାର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକ୍କିମକୁ ସହାୟତା ମିଳିବ। ବନ୍ୟା ନିୟନ୍ତ୍ରଣ ପାଇଁ ବିହାରକୁ ୧୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରାଯାଇଛି। ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ଆନ୍ଧ୍ର ପୋଲାଭରମ୍ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବା ସହିତ ୧୫,୦୦୦ କୋଟି ଟଙ୍କାର ଆନ୍ଧ୍ରକୁ ସହାୟତା ମିଳିବ। ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ସ୍କିମ୍। ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ଓଡ଼ିଶା ପାଇଁ ପୂର୍ବୋଦୟ ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି। ବିହାରରେ ଭିତ୍ତିଭୂମି ନିର୍ମାଣ ପାଇଁ ୨୬ ହଜାର କୋଟି ଘୋଷଣା କରାଯାଇଛି। ଗୟାରେ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ହେବ। ବିହାରରେ ନିର୍ମାଣ ହେବ ୩ଟି ନୂଆ ଏକ୍ସପ୍ରେସ୍ ୱେ। ବୋଧଗୟା- ବୈଶାଳୀ ଏକ୍ସପ୍ରେସ୍ ନିର୍ମାଣ ହେବ। ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ବିଶାଖାପାଟଣା ଓ ଚେନ୍ନାଇ କରିଡର ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମିଳିବ। ୬ ମାସ ଭିତରେ ଆୟକର ଆଇନ ୧୯୬୧ର ସମୀକ୍ଷା ହେବ।