ନିଟ୍ ପ୍ରସଙ୍ଗରେ ସଂସଦରେ ଝଡ

ଭାରତୀୟ ପରୀକ୍ଷାରେ ଅନିୟମିତତା ହୋଇଥିବା ପ୍ରସଙ୍ଗରେ ଗୁରୁତର ତ୍ରୁଟି ହୋଇଥିବାର ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ।

ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ, ୨୨/୦୭: ନିଟ୍ ପରୀକ୍ଷା ପ୍ରସଙ୍ଗରେ ମୁହାଁମୁହିଁ ହେଲେ ରାହୁଲ ଗାନ୍ଧି ଓ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଦେଶର ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଛି। କେବଳ ନିଟ୍ ନୁହେଁ, ସବୁ ପରୀକ୍ଷାରେ ବିଭ୍ରାଟ ହେଉଛି। ହେଲେ, ଶିକ୍ଷା ମନ୍ତ୍ରୀ ନିଜ ଦୋଷ ସ୍ୱୀକାର ନକରି ଅନ୍ୟମାନଙ୍କୁ ଦୋଷ ଦେଇ ଚାଲିଛନ୍ତି। ପରୀକ୍ଷାରେ ବିଭ୍ରାଟ ହେଉଥିବା ପ୍ରସଙ୍ଗରେ ସେ ଜାଣିଛନ୍ତି କି ନାହିଁ ଜଣାପଡୁନି। ଭାରତୀୟ ପରୀକ୍ଷା ପଦ୍ଧତିର ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଟଙ୍କା ଥିଲେ ପରୀକ୍ଷା ବ୍ୟବସ୍ଥାକୁ କିଣା ଯାଇପାରିବ ବୋଲି ଲକ୍ଷ ଲକ୍ଷ ଛାତ୍ର ଭାବୁଛନ୍ତି। ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ଗୋଟିଏ ଦିନ ସମୟ ଦରକାର ବୋଲି ରାହୁଲ କହିଥିଲେ।

ରାହୁଲଙ୍କ ଜବାବରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଭାରତୀୟ ପରୀକ୍ଷା ପ୍ରସଙ୍ଗରେ ରାହୁଲଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ। ସଂସଦରେ ବିରୋଧୀଙ୍କ ଏଭଳି ଆଚରଣ ଦୁଃଖଦାୟକ। ପେପର ଲିକ୍ ନେଇ ସଠିକ୍ ପ୍ରମାଣ ମିଳିନାହିଁ। ଗତ ୭ ବର୍ଷ ମଧ୍ୟରେ କୌଣସି ବି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇନି। ନିଟ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏନଟିଏ ସଫଳତାର ସହ ୨୪୦ରୁ ଅଧିକ ପରୀକ୍ଷା ପରିଚାଳିଚ କରିସାରିଛି। ପରୀକ୍ଷାରେ କପି ଓ ଅନିୟମିତତା ରୋକିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ୨୦୧୦ ମସିହାରେ ଉତ୍ତରପ୍ରଦେଶରେ ୟୁପିଏ ସରକାର ବେଳେ ଏପରି ବିଲ୍ ଆଗତ ହୋଇଥିଲେ ବି କଂଗ୍ରେସ ତାହା ପାରିତ ହେବାକୁ ଦେଇନଥିଲା। ତେବେ ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ବିଲକୁ କାର୍ଯ୍ୟକାରୀ କରିବାରେ କଂଗ୍ରେସ ସରକାର କାହିଁକି ବିଫଳ ହୋଇଥିଲା ତାହା ବିରୋଧୀ ଦଳ କହିପାରିବେ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ।