ଅବହେଳାର ଶିକାର ହୋଇ ଆସୁଛି ଓଡ଼ିଶା

ଓଡ଼ିଶା ବାରମ୍ବାର ସ୍ୱତନ୍ତ୍ର ପାହ୍ୟା ଦାବିକୁ କେନ୍ଦ୍ର ଅଣଦେଖା କରୁଥିବାରୁ ନବୀନ ପଟ୍ଟନାୟକ ପ୍ରବଳ ବର୍ଷିଛନ୍ତି।

କେନ୍ଦ୍ର ବଜେଟକୁ ନେଇ ନବୀନଙ୍କ କ୍ଷୋଭ

ଭୁବନେଶ୍ବର, ୨୩/୦୭: ଆଜି ଦେଶର ୨୦୨୪-୨୫ ଆର୍ଥିକ ବର୍ଷର ଆସିଛି ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟରେ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ମିଳିନଥିବା ବେଳେ ରାଜ୍ୟ ନେତାଙ୍କ ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆନ୍ଧ୍ର ପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଓଡ଼ିଶା ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିବା ସତ୍ତ୍ୱେ ଓଡ଼ିଶାକୁ କୌଣସି ସହାୟତା ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସବୁବେଳେ ଓଡ଼ିଶାକୁ ଉପେକ୍ଷିତ କରି ଆସିଛି। ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ଉଲ୍ଲେଖ କରିଥିଲା। କିନ୍ତୁ ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ କୋଟି କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାକୁ ଭୁଲି ଯାଇଛନ୍ତି କେନ୍ଦ୍ର ସରକାର। ଏଥିସହ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ବର୍ଷ ବର୍ଷ ଧରି କୋଇଲା ରୟାଲ୍ଟି ସଂଶୋଧନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଓଡ଼ିଶାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ଏଥି ସହିତ ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶାବାସୀଙ୍କୁ ବିଶେଷ କରି କୃଷି, ଏମଏସଏମଇ ଓ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହି ବଜେଟରେ ପ୍ରତିଶ୍ରୁତି ପୂରଣ ହେବା ନେଇ କୌଣସି ଉଲ୍ଲେଖ ନାହିଁ। ଏହା ଓଡ଼ିଶା ଓ ଜନସାଧାରଣଙ୍କ ପ୍ରତି ସମ୍ପୂର୍ଣ୍ଣ ଅବହେଳା ବୋଲି ନବୀନ କହିଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ବୋଲି ଆମେ ସମସ୍ତେ ଅବଗତ। ଏଥିପାଇଁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜର ଅନୁରୋଧ କରିଥିଲୁ। ହେଲେ, ଅନ୍ୟ ରାଜ୍ୟର ଅନୁରୋଧକୁ ବିଚାର କରାଯାଇ ବନ୍ୟା ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା ନେଇ ଓଡ଼ିଶାର ପ୍ରକୃତ ଦାବିକୁ ବିଚାରକୁ ନିଆଯାଇନାହିଁ। ତେଣୁ ସ୍ୱତନ୍ତ୍ର ପ୍ୟାକେଜ୍ ହେଉ ଅବା କୋଇଲା ରୟାଲ୍ଟି ସଂଶୋଧନ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସରକାର ଦ୍ୱାରା ଅବହେଳିତ ହୋଇ ଆସିଛି।

ଆଜିକାଲି ସାଧାରଣ ଜନତା ସମ୍ମୁଖୀନ ହେଉଥିବା ଏକ ପ୍ରମୁଖ ସମସ୍ଯା ହେଉଛି ମୁଦ୍ରାସ୍ପ୍ରୀତି ବା ଦରବୃଦ୍ଧି ଏବଂ ବେକାରୀ ସମସ୍ୟା। ଏହି କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୋଲାଭରମ ପ୍ରସଙ୍ଗରେ ଆମେ ନ୍ୟାୟ ପାଇଁ ଲଢ଼େଇ କରି ଆସୁଛୁ। ଓଡ଼ିଶାର ଏ ଦିଗରେ ଧ୍ୟାନ ନଦେଇ ପୋଲାଭରମ୍ ପାଇଁ ଅଧିକରୁ ଅଧିକ ପାଣ୍ଠି ଆବଣ୍ଟନ କରିବା ଓଡ଼ିଶା ବିରୋଧରେ ଏହା ଷଡଯନ୍ତ୍ରକୁ ଦର୍ଶାଉଛି। କେନ୍ଦ୍ରରେ ଏନଡିଏ ସରକାର ୧୦ ବର୍ଷରୁ ଅଧିକ ସମୟ ଧରି ରହିଛି। ପ୍ରତ୍ୟେକ ବଜେଟରେ ଓଡ଼ିଶା ସମେତ ପୂର୍ବ ଭାରତ ଉପରେ ଫୋକସ କରିବାକୁ କୁହାଯାଇଛି। କିନ୍ତୁ ପ୍ରତିବର୍ଷ ବଜେଟରେ ଓଡ଼ିଶାକୁ ନିରାଶ ହେବାକୁ ପଡିଛି।

ଓଡ଼ିଶା ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ନବୀନ। ନବୀନ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ରର ସ୍ୱତନ୍ତ୍ର ଘୋଷଣା ଦ୍ବାରା ଓଡିଶା ଉପକୃତ ହେବ ବୋଲି ଆଶା କରାଯାଉଛି। ଦେଶ ପ୍ରତି ଓଡ଼ିଶାରୁ ବହୁ ଅବଦାନ ରହିଥିବା ସତ୍ତ୍ୱେ କେନ୍ଦ୍ରର ବଜେଟରେ ରାଜ୍ୟ ପ୍ରତି ଅବହେଳା ମୋତେ ନିରାଶ କରିଛି। ନିର୍ବାଚନ ସମୟରେ ବିଜେପିର ନେତା ମାନେ ଓଡିଶାବାସୀଙ୍କୁ ବହୁତ ବଡ ବଡ କଥା କହିଥିଲେ। କିନ୍ତୁ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ ବୋଲି ନବୀନ କହିଛନ୍ତି।