ପ୍ରକାଶ ପାଇଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ

ଆସନ୍ତାକାଲି ରାଜ୍ୟର ୨୦୨୪-୨୫ ବଜେଟ୍ ଆସିବ।

ଓଡ଼ିଶାର ମୁଣ୍ଡପିଛା ଆୟ ୧,୬୧,୪୩୭ ଟଙ୍କା

ଭୁବନେଶ୍ବର, ୨୪/୦୭: ଆସନ୍ତାକାଲି ଆସିବ ପୂର୍ଣ୍ଣାଙ୍ଗ ବଜେଟ। ବିଧାନସଭାରେ ଆଗତ ହେବ ଓଡ଼ିଶାର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ। ଏହା ପୂର୍ବରୁ ଆଜି ପ୍ରକାଶ ପାଇଛି ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ।

ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଏହି ଅଭିବୃଦ୍ଧି ହାର ୨୦୨୩-୨୪ରେ ୭.୯ ପ୍ରତିଶତ ଥିଲା। ୨୦୨୩-୨୪ରେ ରାଜ୍ୟୱର ମୁଣ୍ଡପିଛା ଆୟ ୧,୬୧,୪୩୭ ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କାଠାରୁ ୧୨.୪ ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଥିବା ବେଳେ ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ରେ ୧୧ତମ ସ୍ଥାନରେ ରହିଛି। ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶ ମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩% ଥିବାବେଳେ ୨୦୧୯-୨୧ରେ ଏହା ୧୫.୭%କୁ ହ୍ରାସ ପାଇଛି। ବହୁବିଧ ଦାରିଦ୍ର୍ୟ ମୁଣ୍ଡ ଗଣତି ଅନୁସାରେ ପ୍ରମୁଖ ୧୭ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି।

୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ମୋଟ ରାଜ୍ୟ ମୂଲ୍ୟ ସଂଯୋଜିତ ମୂଲ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦.୪ ପ୍ରତିଶତ ରହିଛି।

୨୦୨୩-୨୪ରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୮.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଯାହା ମୋଟ ରାଜ୍ୟ ସଂଯୋଜିତ ମୂଲ୍ୟରେ ଶିଳ୍ପ କ୍ଷେତ୍ରରେ ଅବଦାନ ୪୩.୨ ପ୍ରତିଶତ ରହିଛି। ଏହା ସତ୍ତ୍ୱେ ଓଡ଼ିଶାରେ ଶିଳ୍ପାନୁଷ୍ଠାନ ମୁଖ୍ୟତଃ ମୌଳିକ ଧାତୁ ଓ ଖଣିଜ ଭିତ୍ତିକ ଶିଳ୍ପ ଉପରେ ନିର୍ଭରଶୀଳ।

୨୦୨୩-୨୪ରେ ସେବା କ୍ଷେତ୍ରର ଅଭିବୃଦ୍ଧି ୯.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ରାଜ୍ୟର ଅର୍ଥନୀତିରେ ପ୍ରାୟ ୩୬.୪ ପ୍ରତିଶତ ଯୋଗଦାନ କରିବ ଏବଂ ମୋଟ କର୍ମନିଯୁକ୍ତିର ୨୬ ପ୍ରତିଶତ ହେବ। ସୂଚନା ଓ ପ୍ରଯୁକ୍ତି ଏବଂ ଆଇ. ଟି. ଇ. ଏସ୍ କ୍ଷେତ୍ର ପାଇଁ ଭବିଷ୍ୟତରେ ଅଧିକ କର୍ମଚାରୀ ସୃଷ୍ଟି କରିବାର ସମ୍ଭାବନା ରହିଛି।

ରାଜ୍ୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୮-୧୯ରେ ୫୧.୨ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୬୧.୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସମାନ ବୟସ ବର୍ଗପାଇଁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୮-୧୯ରେ ୨୪.୪ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୪୪.୭ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ପୁଞ୍ଜି ବ୍ୟୟ ବରାଦ ବାବଦରେ ପାଖାପାଖି ୫୧,୬୮୩ କୋଟି ଟଙ୍କା ଆବଣ୍ଟନ କରିଛି, ଯାହା ଜିଏସଡିପିର ୬.୨ ପ୍ରତିଶତ ଏବଂ ପୂର୍ବ ବର୍ଷ ତୁଳନାରେ ୩୪.୯ ପ୍ରତିଶତ ଅଧିକ। ରାଜ୍ୟ ବିତ୍ତୀୟ ପରିଚାଳନାରେ ୨୦୧୯-୨୦ରେ ୩.୫ ପ୍ରତିଶତ ଥିବା ବେଳେ ୨୦୨୩-୨୪ ବଜେଟ୍ ଆକନନରେ ଏହା ୩.୧ ପ୍ରତିଶତକୁ ଖସି ଆସିଛି।

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୨୦୨୨-୨୩ରେ ୧୪୧.୪ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି, ଯାହା କି ୨୦୨୧-୨୨ରେ ୧୧୩.୮ ଲକ୍ଷ ମେଟ୍ରିକ୍ ଟନ୍ ତୁଳନାରେ ୨୪.୨ ପ୍ରତିଶତ ଅଧିକ। ୨୦୨୧-୨୨ରେ ଭାରତର ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୭ ପ୍ରତିଶତ ଯୋଗଦାନ ସହ ଦେଶର ପଞ୍ଚମ ବୃହତ୍ତମ ଧାନ ଉତ୍ପାଦନକାରୀ ରାଜ୍ୟ ଅଟେ। ୨୦୨୧-୨୨ ସୁଦ୍ଧା ଭାରତର ମୋଟ ଚାଉଳ ଉତ୍ପାଦନରେ ଓଡ଼ିଶା ୭ ପ୍ରତିଶତ ଯୋଗଦାନ ଦେଇ ଦେଶର ପଞ୍ଚମ ବୃହତ୍ତମ ଚାଉଳ ଉତ୍ପାଦନକାରୀ ଦେଶ ଭାବେ ସ୍ଥାନ ପାଇଛି। ରାଜ୍ୟରେ ୨୦୨୨-୨୩ରେ ବାଜରା ଉତ୍ପାଦନରେ ୪୭.୩% ବୃଦ୍ଧି ଘଟିଛି। ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ ହେବା ପରେ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟର ବାଜରା ଉତ୍ପାଦନ ୧୨୧% ବୃଦ୍ଧି ପାଇଛି। ରାଜ୍ୟରେ କୃଷି ଋଣ ବିତରଣ ୨୦୧୧-୧୨ରେ ୮,୫୨୦ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୫୪,୭୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ସୃଷ୍ଟି ହୋଇଥିବା ଜଳସେଚନ କ୍ଷମତା ୫୦ ଲକ୍ଷ ହେକ୍ଟରରୁ ୬୯.୨ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି।

ରାଜ୍ୟରେ ପଶୁସମ୍ପଦ ଓ ମତ୍ସ୍ୟଚାଷ ବୃଦ୍ଧି, ଖାଦ୍ୟ ନିରାପତ୍ତା ବୃଦ୍ଧି ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇଛି। ୨୦୨୧-୨୨ରେ ମାଂସ ଉତ୍ପାଦନ ୨୧୬.୨ ହଜାର ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୨-୨୩ରେ ଏହା ୨୨୬.୯ ହଜାର ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି। ଦୁଗ୍ଧ ଉତ୍ପାଦନ ୨୦୨୨-୨୩ରେ ୨୪.୮ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଥିବା ବେଳେ ୨୦୨୧-୨୨ରେ ଏହା ୨୪.୦ ଲକ୍ଷ ମେଟ୍ରିକ୍ ଟନ୍ ଥିଲା।

୨୦୨୨-୨୩ରେ ମାଛ ଉତ୍ପାଦନ ୧୦.୫ ଲକ୍ଷ ଟନକୁ ବୃଦ୍ଧି ପାଇଥିବା ବେଳେ ୨୦୧୪-୧୫ରେ ଏହା ୪.୪ ଲକ୍ଷ ଟନ୍ ଥିବା ବେଳେ ସିଏଜିଆର୍ ୧୧ ପ୍ରତିଶତ ରହିଛି। ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ମାଛ ବ୍ୟବହାର ୨୦୧୪-୧୫ରେ ୧୧.୦୬ କେଜି ଥିବାବେଳେ ୨୦୨୨-୨୩ରେ ଏହା ୧୭.୭୩ କେଜିକୁ ବୃଦ୍ଧି ପାଇଛି।

୨୦୨୨-୨୩ରେ ଓଡ଼ିଶାରେ ଖଣିଜ ରାଜସ୍ୱ ୩୮,୦୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ବିକାଶ ପାଇଁ ଯଥେଷ୍ଟ ପାଣ୍ଠି ଯୋଗାଉଛି। ୨୦୨୩-୨୪ରେ ରାଜ୍ୟର ଜିଏସଭିଏରେ ଆର୍ଥିକ ସେବାର ଅବଦାନ ୨.୯% ରହିଛି, ଯାହା କି ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବନିମ୍ନ। ୨୦୨୨-୨୩ରେ ଓଡ଼ିଶାର ମୋଟ ଶ୍ରମଶକ୍ତିର ୨୬ ପ୍ରତିଶତ ସେବା କ୍ଷେତ୍ରର ଅବଦାନ ଥିଲା, ଯାହା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପରେ ଦ୍ବିତୀୟ ବୃହତ୍ତମ ନିଯୁକ୍ତିକ୍ଷେତ୍ର ଅଟେ।

୨୦୨୨-୨୩ ଶେଷ ସୁଦ୍ଧା ଓଡ଼ିଶାରେ ୨୯୯୨ କିଲୋମିଟର ରେଳ ପଥ ଥିବା ବେଳେ ୨୯୪୦ କିଲୋମିଟର (୯୮.୩%) ବିଦ୍ୟୁତୀକରଣ ହୋଇଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରବିସ୍ତାର ହୋଇଛି, ଯାହା ରାଜ୍ୟକୁ ୧୯ଟି ଭାରତୀୟ ସହର ଏବଂ ତିନୋଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ବ୍ୟାଙ୍କକ, ସିଙ୍ଗାପୁର ଏବଂ ଦୁବାଇ ସହିତ ସଂଯୋଗ କରିଛି।

ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଓଡ଼ିଶାରେ ମୋଟ ନାମଲେଖା ଅନୁପାତ ଯଥାକ୍ରମେ ୯୧.୩, ୮୦.୪ ଓ ୪୩.୬ ରହିଛି। ତେବେ ଓଡ଼ିଶାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଜିଇଆର୍ ଭାରତର ଜାତୀୟ ହାରାହାରି ଠାରୁ କମ୍ ରହିଛି।

ଓଡ଼ିଶାରେ ୧୭୩୭ଟି ଆବାସିକ ବିଦ୍ୟାଳୟ ଓ ୫୫୦୦ ହଷ୍ଟେଲ ରହିଛି, ଯେଉଁଥିରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ୨.୭୫ ଲକ୍ଷ ଛାତ୍ରୀଙ୍କ ସମେତ ସାଢ଼େ ୪ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ସେବା ପାଉଛନ୍ତି।

ମହିଳା ସାକ୍ଷରତା କ୍ଷେତ୍ରରେ ୭ ବର୍ଷ ବୟସରୁ ଉର୍ଦ୍ଧ୍ବ ମହିଳା ସାକ୍ଷରତା ହାର ୨୦୦୧ ଜନଗଣନାରେ ୫୦.୫ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୭୩.୬ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ସଂସ୍ଥାଗତ ପ୍ରସବ ହାର ୯୨.୨ ପ୍ରତିଶତ ରହିଛି, ଯାହା ଜାତୀୟ ହାରାହାରି ୮୮.୬ ପ୍ରତିଶତ ତୁଳନାରେ ସାମାନ୍ୟ ଅଧିକ। ଅପରପକ୍ଷେ, ୨୦୧୮-୨୦ ରେ ଓଡ଼ିଶାରେ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷ ଜୀବନ୍ତ ଜନ୍ମରେ ୧୧୯ ରହିଛି, ଯାହା ଜାତୀୟ ହାର ୯୭ ତୁଳନାରେ ଅଧିକ। ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ ୨୦୧୧-୧୨ରେ ଗ୍ରାମୀଣ ସଡ଼କ କ୍ଷେତ୍ରରେ ୨୨,୭୯୫ କିଲୋମିଟର ଥିବା ବେଳେ ୨୦୨୩-୨୪ରେ ଏହା ୯୯,୪୪୬ କିଲୋମିଟରକୁ ବୃଦ୍ଧି ପାଇଛି।