ଉପବାଚସ୍ପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଭବାନୀ ଶଙ୍କର ଭୋଇ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା

ଭୁବନେଶ୍ବର, ୨୪/୦୭: ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ସର୍ବସମ୍ମତିକ୍ରମେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଶ୍ରୀ ଭୋଇଙ୍କୁ ଗୃହର ଉପବାଚସ୍ପତି ଭାବେ ଘୋଷଣା କରିବା ସହ ତାଙ୍କ ଅନୁପସ୍ଥିତିରେ ସେ ଦକ୍ଷତାର ସହ ଓ ନିରପେକ୍ଷ ଭାବେ ଗୃହ ପରିଚାଳନା କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ସଭାପତି ରାମଚନ୍ଦ୍ର କାଡାମ ଶ୍ରୀ ଭୋଇଙ୍କୁ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀ ଭୋଇ ମଙ୍ଗଳବାର ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ବିଜେଡି ଓ କଂଗ୍ରେସର ଅନ୍ୟ କୌଣସି ସଦସ୍ୟ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିନଥିବାରୁ ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ।