ଓଡ଼ିଶାରେ ଆଳୁ ଦର ବୃଦ୍ଧି: ଚିନ୍ତା ପ୍ରକଟ କଲେ ନବୀନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।

ମମତାଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର, ୨୬/୦୭: ରାଜ୍ୟରେ ଆଳୁ ଦର ବୃଦ୍ଧି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ ହୋଇଯିବା ଫଳରେ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି, ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ। କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ବଜାରରେ ଖୁବ କମ ପରିମାଣରେ ଆଳୁ ଯୋଗାଣ ହେଉଛି। ଯାହା ଫଳରେ ଆଳୁର କୃତ୍ରିମ ଦର ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମବଙ୍ଗ- ଓଡ଼ିଶା ସୀମାନ୍ତରେ ୫୦ରୁ ଉର୍ଦ୍ଧ୍ଵ ଆଳୁ ଭର୍ତ୍ତି ଟ୍ରକ ଅଟକି ରହିଛି ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି।

ନବୀନ ଆହୁରି ମଧ୍ୟ ଲେଖିଛନ୍ତି, ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରହିଛି। ଉଭୟ ରାଜ୍ୟର ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ। ପୂର୍ବରୁ ମଧ୍ୟ ଏପରି ପରିସ୍ଥିତି ଉପୁଜିଛି। ସେତେବେଳେ ଆପଣ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିଛନ୍ତି। ଏଣୁ ଏବେ ମଧ୍ୟ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ରାଜ୍ୟକୁ ଆଳୁ ଯୋଗାଣ କରିବାକୁ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ନବୀନ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ଯୋଗୁଁ ଅନ୍ୟ ରାଜ୍ୟକୁ ଆଳୁ ଆମଦାନୀ ବନ୍ଦ ହୋଇଛି। ଯେଉଁଥିପାଇଁ ଓଡ଼ିଶାରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ଖୁଚୁରା ବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି। ଏ ନେଇ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆଗାମୀ ୭ ଦିନ ଯାଏଁ ଆଳୁ ମହଜୁଦ ଅଛି ବୋଲି ମନ୍ତ୍ରୀ କହିଛନ୍ତି।