କାର୍ଗିଲ ବିଜୟ ଦିବସରେ ବୀର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଅଗ୍ନିପଥ ଯୋଜନା ବନ୍ଦ କରିବାକୁ ଚାହୁଁଛି କଂଗ୍ରେସ

ନୂଆଦିଲ୍ଲୀ, ୨୬/୦୭: ୧୯୯୯ ମସିହାର କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାର୍ଗିଲ ଗସ୍ତ କରି ଯୁଦ୍ଧରେ ସହିଦ ହୋଇଥିବା ବୀରଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶ ପାଇଁ ସେମାନଙ୍କ ବଳିଦାନ ଅମର ଏବଂ କାର୍ଗିଲ ବିଜୟ ଦିବସ ଆକାରରେ ସର୍ବଦା ସ୍ମରଣୀୟ ରହିବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କାର୍ଗିଲ ଯୁଦ୍ଧରେ ସାମନା କରିଥିବା ଭୟଙ୍କର କ୍ଷୟକ୍ଷତିରୁ ପାକିସ୍ତାନ କିଛି ଶିଖି ପାରିନାହିଁ। ଏବେ ବି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି। ପାକିସ୍ତାନ ଯେତେବେଳେ ବି ଏହିଭଳି କୌଣସି ଦୁଃସାହସିକ କାର୍ଯ୍ୟ କରିଥାଏ ସେତେବେଳେ ପରାଜୟର ସମ୍ମୁଖୀନ ହୋଇଥିଲା।

ତେବେ ଆଜି ଏହି କାର୍ଗିଲ ବିଜୟ ଦିବସରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛି କଂଗ୍ରେସ। ବିଜେପି ସରକାର ଆରମ୍ଭ କରିଥିବା ଅଗ୍ନିବୀର ସ୍କିମକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା କାର୍ତି ଚିଦାମ୍ବରମ୍। କଂଗ୍ରେସ ନେତା କାର୍ତି ଚିଦାମ୍ବରମ୍ କହିଛନ୍ତି, ଭାରତୀୟ ସେନାର ଏକ ଗୌରବମୟ ଅତୀତ ରହିଛି। ତେଣୁ ଭାରତୀୟ ସେନାକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ ଏବଂ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯାଉ। ମଡର୍ଣ୍ଣ ଟେକ୍ନୋଲୋଜି ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ସୈନିକଙ୍କ ଆବଶ୍ୟକତା ରହିଛି। କିନ୍ତୁ ଏହି ଅଗ୍ନିବୀର ଯୋଜନାରେ ପୂର୍ଣ୍ଣ ପ୍ରଶିକ୍ଷିତ ସୈନିକ ନାହାନ୍ତି । ଅଗ୍ନିବୀର ଯୋଜନା ସେନାର ଆବଶ୍ୟକତାକୁ ପୂରଣ କରୁନାହିଁ ବୋଲି ଚିଦାମ୍ବରମ କହିଛନ୍ତି।

ଅନ୍ୟପଟେ କଂଗ୍ରେସର ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି, ସଶସ୍ତ୍ର ବାହିନୀରେ ଯୁବକମାନେ ଯେପରି ସ୍ୱଳ୍ପକାଳୀନ ନିଯୁକ୍ତି ପାଇବା ପାଇଁ କଂଗ୍ରେସ ଚାହୁଁନଥିବାରୁ ମିଥ୍ୟା ପ୍ରଚାର କରୁଛି କଂଗ୍ରେସ। ଆମ ପ୍ରତିରକ୍ଷା ବାହିନୀ ପାଖରେ ଅତ୍ୟାଧୁନିକ ଲଢୁଆ ବିମାନ ରହୁ କଂଗ୍ରେସ ଚାହୁଁନି। ତେଣୁ କଂଗ୍ରେସ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି ବୋଲି ମୋଦି କହିଛନ୍ତି।