ପର୍ଯ୍ୟଟନ ବିଭାଗ ଆଢୁଆଳରେ ଦେବୀ ଦ୍ୱୀପ

ଅସ୍ତରଙ୍ଗର ଆଇଲ୍ୟାଣ୍ଡ ଦେବୀ ମୁହାଣ ବା ଦେବୀ ଦ୍ବୀପ ଉପରେ କେବେ ପଡିବ ପର୍ଯ୍ୟଟନ ବିଭାଗର ଦୃଷ୍ଟି!

ଅସ୍ତରଙ୍ଗର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ

ଅସ୍ତରଙ୍ଗ, ୦୩/୦୮ (ଦର୍ଶନ ନ୍ୟୁଜ): ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ଅନ୍ତର୍ଗତ ସହନ ଗ୍ରାମ ନିକଟରେ ଥିବା ଗଙ୍ଗାଦେବୀ ମନ୍ଦିରଠାରୁ ଯନ୍ତ୍ର ଚାଳିତ ଡ଼ଙ୍ଗା ଦ୍ୱାରା ଜଳପଥରେ ପାଖାପାଖି ଏକ ଘଣ୍ଟା ଗଲେ ପଡିବ ଦେବୀ ନଦୀ ଓ ବଙ୍ଗୋପ ସାଗରର ମିଳନସ୍ଥଳୀ ଦେବୀ ମୁହାଣ। ସେଠାରୁ ଉତ୍ତରକୁ ଗଲେ ଗୋଟେ ଛୋଟିଆ ଦ୍ବୀପ ଦେଖିବାକୁ ପାଇବେ। ଯାହା ଆପଣଙ୍କୁ ରୋମାଞ୍ଚଭରା ଅନୁଭବ ଦେବ। ସେଠାରେ ସମୁଦ୍ର ନୀଳ ଜଳରାଶି ସହିତ କୂଳ ବାଲିରେ ନାଲି କଙ୍କଡ଼ାର ଲୁଚକାଳି ଖେଳ ସହ ଯିବା ବାଟରେ ବିଭିନ୍ନ ପ୍ରକାର ପକ୍ଷୀ ସମସ୍ତଙ୍କୁ ଆକର୍ଷିତ କରିବ। ମୁହାଣ ନିକଟରେ ସମୁଦ୍ର ଆଉ ନଦୀର ନାନା ପ୍ରକାର ମାଛ, ନୀଳରକ୍ତ କଙ୍କଡା, ରଙ୍ଗ ବେରଙ୍ଗର ସିପ ଶାମୁକା ସହିତ ବେଳେବେଳେ ଡ଼ଲଫିନଙ୍କର ଜଳ କ୍ରୀଡା ଆପଣଙ୍କୁ ଭାବବିହ୍ଵଳ କରିଦେବ। ସମୁଦ୍ରର ମୃଦୁ ମଳୟ ପବନର ତାଳେ ତାଳେ ମୁହାଣରେ ପ୍ରବାହିତ କୁଳୁକୁଳୁ ଜୁରିଆ ଜଳ ରାଶି ପବନର ବେଗ ଅନୁଶାରେ ସାଇଁସାଇଁ ଉଡାବାଲି ଆପଣଙ୍କୁ କ୍ଷଣକ ପାଇଁ ନେଇଯିବ ଅଲଗା ଦୁନିଆକୁ। ଡ଼ଙ୍ଗାରେ ଯିବା ଆସିବା ବେଳେ ନଦୀର ଦୁଇ ପାର୍ଶ୍ଵରେ ଥିବା ଖେରଞ୍ଚ ଜଙ୍ଗଲର ମନଲୋଭା ସବୁଜ ଦୃଶ୍ୟ ଏବଂ ସେଠାରେ ବଷା କରି ରହିଥିବା ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କର କଳରବ ମନରେ ଭରିଦେବ ନୂଆ ଉନ୍ମାଦନା। ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ପ୍ରସିଦ୍ଧି ଥିବା ଏହି ମୁହାଣ ଅନ୍ୟତମ ଆକର୍ଷଣ। ଏତେ ସବୁ ମନମୋହିଲା ପରି ପରିବେଶ ଥିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହି ଯାଉଛି ଏହି ଜାଗା। ଏହି ସମ୍ପର୍କରେ ପରିବେଶବିତ ଶୋଭାକର ବେହେରା କୁହନ୍ତି, ଓଡିଶାର ଏହି ସୌନ୍ଦର୍ଯ୍ୟମୟ ସ୍ଥାନକୁ ଲୋକଙ୍କ ଆଢୁଆଳରେ ନରଖି ପ୍ରକୃତି ପର୍ଯ୍ୟଟନ କ୍ଷେତ୍ର ଭାବରେ ଗଢି ତୋଳିଲେ ବହୁ ପର୍ଯ୍ୟଟକ ଆସିବା ସହ ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ଭବ ହୋଇ ପାରନ୍ତା। ପୁଣି ଏହି ସମ୍ବେଦନଶୀଳ ଜୈବ ବିବିଧତା ପୂର୍ଣ୍ଣ ଅଞ୍ଚଳର ସୁରକ୍ଷା କରି ଆଗାମୀ ପିଢୀକୁ ଏ ଅଞ୍ଚଳ ବିଷୟରେ ଅବଗତ କରାଇବା ସହିତ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ଏ ବିଷୟରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।