କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଛାଡ଼ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି: ବିଜେଡି

୨୦୧୯ରେ କେନ୍ଦ୍ର ବିଜେପିର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପ୍ରତିଶ୍ରୁତି ପାଣିର ଗାର ହୋଇଥିଲା।

ସୁନା ଉପରେ ୩% ଜିଏସ୍‌ଟି କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି କେତେଦୂର ଯୁକ୍ତିଯୁକ୍ତ

ଭୁବନେଶ୍ୱର, ୫/୮: ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟିକୁ ଉଚ୍ଛେଦ କରିବା ଦାବିକୁ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କରିଥିଲେ । ସେ କହିଥିଲେ, କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲାଗୁ କରିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ ଓ ନବୀନ ସରକାର ପ୍ରଥମ ଦିନରୁ ବିରୋଧ କରିଆସୁଛନ୍ତି । ରାଜ୍ୟର ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳି, ଯାହା ମଧ୍ୟରୁ ନବେ ପ୍ରତିଶତ ମହିଳା ନିଜର ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । ନିକଟରେ କେନ୍ଦ୍ର ବଜେଟରେ ବିଭିନ୍ନ ଜିନିଷ ଉପରେ ଜିଏସ୍‌ଟି ଦର ହ୍ରାସ କରିଥିବା ବେଳେ କେନ୍ଦୁପତ୍ର ଉପରେ ପୂର୍ବପରି ୧୮% ଦର ଅପରିବର୍ତ୍ତିତ ରହିଛି । ଉଲ୍ଲେଖଯୋଗ୍ୟ, ବିଜେପି ଏହାର ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟିକୁ ସମ୍ପୂର୍ଣରୂପେ ଉଠାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାର ତିନୋଟି ନିର୍ବାଚନୀ ସଭାରେ ଏହି ପ୍ରତିଶ୍ରୁତିକୁ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ । କିନ୍ତୁ, ନିର୍ବାଚନରେ ଯଦିଓ ବିଜେପି କ୍ଷମତା ହାସଲ କରିଥିଲା, ଏହି ପ୍ରତିଶ୍ରୁତି ପ୍ରତି ଦୃଷ୍ଟି ଦେଇନଥିଲା । ପ୍ରତିଶ୍ରୁତି ଦେଇ ଭୋଟ୍ ହାସଲ କରିବା ପରେ ପ୍ରତିଶ୍ରୁତି ପାଳନ ନ କରିବା ବିଜେପିର ପୁରୁଣା ଅଭ୍ୟାସ ବୋଲି ଶ୍ରୀ ମହାନ୍ତି କହିଥିଲେ ।

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ କରିବା ପାଇଁ ଚାରି ଥର ପତ୍ର ଲେଖି ରାଜ୍ୟ ସରକାରଙ୍କ ତରଫରୁ ଦାବି ଜଣାଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାର୍ଯ୍ୟରତ ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ ସୁରକ୍ଷା ପାଇଁ ନବୀନ ସରକାର ଅନେକ ପଦକ୍ଷେପ ନେଇଥିଲେ । କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ସେହିପରି କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ପଚିଶ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ ନ କରିବାରୁ, ରାଜ୍ୟ ସରକାରଙ୍କ ନିଜ ଅଂଶ (୯%) ପରିମାଣକୁ କେନ୍ଦୁପତ୍ର ସଂସ୍ଥାକୁ ଫେରାଇ ଦେବାର ନିଷ୍ପତ୍ତି ନେଇଥିଲେ ।

ରାଜ୍ୟର ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ କେନ୍ଦୁପତ୍ର ଉପରୁ ୧୮% ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଆମେ ଦାବି କରୁଛୁ । ସେପରି ରାଜ୍ୟର ବିଜେପି ସରକାର ମଧ୍ୟ ଏହି ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରନ୍ତୁ । ଉଲ୍ଲେଖଯୋଗ୍ୟ, ସୁନା ହୀରା ଭଳି ଦାମୀ ଜିନିଷ ଉପରେ ମାତ୍ର ତିନି ପ୍ରତିଶତ ଜିଏସଟି ରହିଥିବା ବେଳେ ବିମାନ ଯାତ୍ରା ଉପରେ ୫ ପ୍ରତିଶତ ଜିଏସଟି ରଖାଯାଇଛି, ଅପର ପକ୍ଷରେ କେନ୍ଦୁପତ୍ର ଉପରେ ୧୮% ଜିଏସଟି ରହିଛି ଯାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।