ଜଳୁଛି ବାଂଲାଦେଶ: ଦେଶ ଛାଡ଼ିଲେ ଶେଖ୍ ହସିନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ୍ ହସିନା।

ଅଣାୟତ୍ତ ପରିସ୍ଥିତି: ଗଠନ ହେବ ଅନ୍ତରୀଣ ସରକାର

ନୂଆଦିଲ୍ଲୀ, ୫/୮: ବାଂଲାଦେଶରେ ହିଂସା ଉଗ୍ରରୂପ ନେବା ପରେ ଜଳୁଛି ଦେଶ। ହିଂସାକୁ ଆୟତ୍ତ କରିବାରେ ବିଫଳ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଯାହା ପରେ ବାଂଲାଦେଶ ସେନା ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ୪୫ ମିନିଟର ସମୟ ଦେଇଥିଲା। ପରେ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତ ପଳାଇ ଆସିଥିଲେ। ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ଶେଖ୍ ହସିନା ତାଙ୍କ ସାନ ଭଉଣୀ ଶେଖ୍ ରେହାନାଙ୍କ ସହ ଏକ ସାମରିକ ହେଲିକପ୍ଟର C130J ଯୋଗେ ବଙ୍ଗଭବନରୁ ବାହାରିଥିଲେ। ଆକାଶମାର୍ଗ ଦେଇ ସନ୍ଧ୍ୟା ୫ଟା ୩୬ରେ ଦିଲ୍ଲୀର ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ। ସେଠାରେ ଭାରତୀୟ ବାୟୁସେନା ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟପଟେ ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଇସ୍ତଫାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଦେଶ ଚଳାଇବା ପାଇଁ ଏକ ଅନ୍ତରୀଣ ସରକାର ଗଠନ କରାଯିବ ଏବଂ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଦେଶର ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ସେପଟେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସଂସଦ ଭବନରେ ବାଂଲାଦେଶର ସଙ୍କଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ବିଏସଏଫ ପକ୍ଷରୁ ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳକୁ ଯାଉଥିବା ଉଭୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ବାଂଲାଦେଶରୁ ଭାରତକୁ ବିମାନ ଉଡାଣ ମଧ୍ୟ ବାତିଲ କରାଯାଇଛି। ଦେଶରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ସମ୍ପୂର୍ଣ୍ଣ ଦେଶକୁ ସେନା ନିଜ ନିୟନ୍ତ୍ରଣରେ ରଖିଛି। ସେହିପରି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବା ପାଇଁ ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶ ଛାଡିବା ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ମଧ୍ଯ ଦେଇଛନ୍ତି ଶେଖ୍ ହସିନା।

ସଂରକ୍ଷଣକୁ ନେଇ ବାଂଲାଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମାସେ ଧରି ସଂରକ୍ଷଣ ବିରୋଧରେ ବିକ୍ଷୋଭ କରି ଅଶାନ୍ତରେ ଅଛି ବାଂଲାଦେଶ। ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାଗ ନେଇଥିବା ସନ୍ତାନସନ୍ତତିଙ୍କ ପାଇଁ ସରକାରୀ ଚାକିରିରେ ଉଦ୍ଦିଷ୍ଟ ୩୦ ପ୍ରତିଶତ ସଂରକ୍ଷଣକୁ ୨୦୧୮ରେ ବନ୍ଦ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଏହି ବିରୋଧରେ କିଛି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ଜୁଲାଇରେ ପୁଣି ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ପ୍ରତିବାଦ ତେଜିବା ପରେ ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ଏହାକୁ ନେଇ ଜୁଲାଇ ପ୍ରଥମ ସପ୍ତାହରୁ ଦେଶରେ ଆରମ୍ଭ ହୋଇଥିଲା ବିକ୍ଷୋଭ ପ୍ରଦର୍ଶନ। ସଂରକ୍ଷଣ ବ୍ୟବସ୍ଥା ନେଇ ବିଭିନ୍ନ ଛାତ୍ରଗୋଷ୍ଠୀ ଓ ବେସରକାରୀ ସଂଗଠନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭେଟି ଆଲୋଚନା କରିବା ପାଇଁ ଦାବି କରିଥିଲେ। କିନ୍ତୁ ଆଲୋଚନା କରିବାକୁ ଅଗ୍ରାହ୍ୟ କରିବାରୁ ଜୁଲାଇ ୧୭ ତାରିଖରୁ ଦେଶରେ ବ୍ୟାପିଥିଲା ହିଂସା। ପ୍ରଥମ ଦଫାରେ ଛାତ୍ର ଆନ୍ଦୋଳନରେ ୧୦୦ରୁ ଉର୍ଦ୍ଧ୍ଵ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ୧୫ ଶହରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। ଏଯାବତ୍ ଛାତ୍ର ଆନ୍ଦୋଳନରେ ୩୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି।

ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପ୍ରଥମେ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିବା ଇଣ୍ଟରନେଟ ସେବା ବନ୍ଦ କରିଥିଲେ ସରକାର। ତେବେ କର୍ଫ୍ୟୁକୁ ଖାତିର ନ କରି ହଜାର ହଜାର ବିକ୍ଷୋଭକାରୀ ସୋମବାର ‘ଲଙ୍ଗ୍ ମାର୍ଚ୍ଚ ଟୁ ଢାକା’ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ହସିନାଙ୍କ ସରକାରୀ ବାସଭବନ ଗଣଭବନରେ ପଶି ନାରାବାଜି କରିବା ସହ କିଛି ଲୋକ ସେଠାରୁ ଟେଲିଭିଜନ, ଚେୟାର ଓ ଟେବୁଲ ନେଇ ଯାଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପରେ ସୁରକ୍ଷା ଦୃଷ୍ଟିରୁ ସେନା ସହାୟତାରେ ବାସଭବନରୁ ଲୁଚି ପଳାଇ ଆସିଥିଲେ ହସିନା। ତେବେ ହସିନା ଇସ୍ତଫା ଦେବା ପରେ ତାଙ୍କର ୧୫ ବର୍ଷର ଶାସନ କାଳରେ ରୋକ ଲାଗିଛି।