ଆହୁରି ବର୍ଷିବ,୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଆଉ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ମଙ୍ଗଳବାର ୪ ଜିଲ୍ଲାରେ ଭୀଷଣ ବର୍ଷା ହେବ । ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ଢାଳିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ବିଭାଗର ପୂର୍ବାନୁମାନ କହୁଛି, ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଗକୁ ବି ଅଧିକ ବର୍ଷିବ । ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ସମୁଦ୍ରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଡିପ୍ରେସନ୍‌ ବା ଅବପାତ ରୂପ ନେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା-ଛତିଶଗଡ଼ ମଧ୍ୟ ଆଡକୁ ମୁହାଁଇବ । ଲଘୁଚାପ ଅଧିକ ବଳୁଆ ହେଉଥିବାରୁ ମୌସୁମୀ ସକ୍ରିୟ ହୋଇ ରହିଛି । ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇପାରେ ।

୧୦ ତାରିଖରେ ବି ଭୀଷଣ ବର୍ଷା ଆଶଙ୍କା ରହୁଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।