ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ପ୍ରୟାସ

ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୭/୮:ସର୍ବଦା ଅବହେଳିତ ଓ ବିକାଶଠାରୁ ଦୂରରେ ଥିବା ଏକାମ୍ର କ୍ଷେତ୍ର ଏବେ ନୂଆ ବିଧାୟକଙ୍କ ନେତୃତ୍ୱରେ ବିକାଶ ପଥରେ ଅଗ୍ରସର ହେଉଛି। ନୂତନ ଭାବେ ନିର୍ବାଚିତ ବିଧାୟକ ବାବୁ ସିଂ ପ୍ରତିଦିନ ନିଜ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରୁଛନ୍ତି। ଆଜି ସକାଳୁ ଏକାମ୍ର ବିଧାୟକ ବାବୁ ସିଂ ୱାର୍ଡ଼ ନଂ ୫୭ର ବରଗଡ଼ ବ୍ରିଟ୍ କଲୋନୀ ପଞ୍ଚୁ ପାଣ୍ଡବ ଗୁମ୍ଫାଠାରେ ବୃକ୍ଷ ରୋପଣ କରିଥିଲେ। ଏହା ପରେ ବରଗଡ ବ୍ରିଟ କଲୋନୀ ହାଇସ୍କୁଲ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସ୍କୁଲରେ ବୃକ୍ଷ ରୋପଣ କରିଥିଲେ। ଏହା ପରେ ବାଶୁଆଘାଇ ପଞ୍ଚାୟତର କେଶୁରା, କୋରଡ଼କଣ୍ଟା ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହିତ ବୃକ୍ଷ ରୋପଣ କରିଥିଲେ। କୋରଡ଼କଣ୍ଟା ହାଇସ୍କୁଲ ପରିଦର୍ଶନ କରି ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କୋରଡକଣ୍ଟା,କେଶୁରା, ବରଗଡ଼ ବ୍ରିଟ ଅଞ୍ଚଳରେ ଉନ୍ନତ ରାସ୍ତା, ଡ୍ରେନ, ଆଲୋକ ସବୁର ସମସ୍ୟା ମାଳ ମାଳ। ସବୁ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପରେ ବିଧାୟକ ଶ୍ରୀ ସିଂ ଖୁବ୍ ଜଲଦି ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଲେ।ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଆଉ ଏବେ ଲୋକଙ୍କ ପାଇଁ କାମ କରୁଛୁ। ଭୋଟର ଆମକୁ ଜନ ପ୍ରତିନିଧି ଭାବେ ନିର୍ବାଚିତ କଲା ପରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେଇଛୁ। ଏକାମ୍ରବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁସିଂ। “ମାଆ ପାଇଁ ଗଛଟିଏ” ଅଭିଯାନ ଦ୍ୱାରା ପ୍ରକୃତି ସହିତ ମାତୃତ୍ୱର ଅବିଶ୍ୱସନୀୟ ବନ୍ଧନକୁ ପାଳନ କରିବାରେ ଆମ ସହିତ ଯୋଗ ଦିଅନ୍ତୁ। ଆସନ୍ତୁ ସେମାନଙ୍କ ନାମରେ ଏକ ଗଛ ଲଗାଇ ଆମ ମାଆ ମାନଙ୍କୁ ସମ୍ମାନିତ କରିବା। ମିଳିତ ଭାବରେ, ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ, ସ୍ୱାସ୍ଥ୍ୟକର ଓଡ଼ିଶା ସୃଷ୍ଟି କରିପାରିବା। ପ୍ରତ୍ୟେକ ଦିନ ଗୋଟିଏ ଦିନ ଗୋଟିଏ ୱାର୍ଡ଼ର ଏକ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ। ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ଆପଣଙ୍କ ଅଞ୍ଚଳରେ ଥିବା ଖୋଲା ସ୍ଥାନରେ ବୃକ୍ଷରୋପଣ ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ସମସ୍ତଙ୍କୁ ଚାରା ସହିତ ଟ୍ରି ଗାର୍ଡ ମଧ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି।