କୁସ୍ତିକୁ ଭିନେଶ ଫୋଗଟଙ୍କ ଅଲବିଦା

ଅଲିମ୍ପିକ୍ସ ଅଯୋଗ୍ୟ ଘୋଷଣା ହେବା ପରେ ଅବସର ନେଲେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ।

‘କୁସ୍ତି ଜିତିଗଲା, ମୁଁ ହାରିଗଲି’

ପ୍ୟାରିସ, ୮/୮: ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗୁରୁବାର କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ। ହେଲେ ଧାର୍ଯ୍ୟଠାରୁ ଅଧିକ ଓଜନ ହେତୁ ତାଙ୍କୁ ଡିସକ୍ୱାଲିଫାଏଡ୍ କରାଯାଇଥିଲା। ୨୯ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ଓଜନ ୫୦ କେଜିଠାରୁ ୧୦୦ ଗ୍ରାମ ଅଧିକ ଓଜନ ହୋଇ ଯାଇଥିଲା।

ଏହା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି ଭିନେଶ। ଏକ୍ସରେ ଏକ ପୋଷ୍ଟ କରି ଭିନେଶ ଲେଖିଛନ୍ତି, ମା କୁସ୍ତି ମୋତେ ହରାଇଦେଲା, ମୁଁ ହାରିଗଲି। ମୋ ସାହସ ଭାଙ୍ଗିଯାଇଛି ବୋଲି ଭିନେଶ କହିଛନ୍ତି। ଭିନେଶ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ ସେ ତାଙ୍କ ସମର୍ଥକଙ୍କ ନିକଟରେ ସର୍ବଦା ଋଣୀ ରହିବେ।

ମଙ୍ଗଳବାର ଭିନେଶ ଫୋଗଟ ୫୦ କେଜି ବର୍ଗରେ ଥିଲେ। ସେ ପ୍ରଥମ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରିବା ପରେ କ୍ୱାର୍ଟର ଫାଇନାଲ ଓ ୟୁକ୍ରେନର ଓକସାନା ଲିଭାକାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। କ୍ୟୁବାର ୟୁସନେଲିସ୍ ଗୁଜମ୍ୟାନଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ କୁସ୍ତି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ। ଏବେ ତାଙ୍କ ବିଦାୟ ପରେ ୨୦୦୧ରୁ ୨୦୨୪ ପର୍ଯ୍ୟନ୍ତ ଚାଲିଥିବା ଏକ ଚମତ୍କାର କ୍ୟାରିୟରର ଅନ୍ତ ଘଟିଛି। ଅନ୍ୟପକ୍ଷରେ ଫୋଗାଟ୍ ଅଲିମ୍ପିକ୍ସ ଅଯୋଗ୍ୟତା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (ସିଏଏସ୍)ରେ ଆବେଦନ କରିଛନ୍ତି। ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ସିଏଏସ୍ ଏହି ଆବେଦନକୁ ସ୍ୱୀକାର କରିଛି ଏବଂ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଚୂଡ଼ାନ୍ତ ରାୟ ଶୁଣାଇବ ବୋଲି ଆଶା କରାଯାଉଛି।