ବଜ୍ରପାତ ଯୋଗୁଁ ୫ ବର୍ଷରେ ଗଲାଣି ୧୧୦୩ ଜୀବନ

ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସବୁଠୁ ଆଗରେ: ମନ୍ତ୍ରୀ

ଭୁବନେଶ୍ବର, ୦୫/୦୯: ବଜ୍ରପାତ ଜନିତ ମୃତ୍ୟୁରେ ସାରା ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି ଓଡ଼ିଶା। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତ ଯୋଗୁଁ ୧୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ଅଧିକ ବଜ୍ରପାତ ହେଉଛି। ଯେଉଁ ରାଜ୍ୟରେ ଅଧିକ ଖଣିଜସମ୍ପଦ ଥାଏ, ସେଠାରେ ଅଧିକ ବଜ୍ରପାତ ହୋଇଥାଏ। ବଜ୍ରପାତ ଜନିତ ମୃତ୍ୟୁ ପାଇଁ ସରକାର ୪ ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି। ବଜ୍ରପାତ ରୋକିବା ପାଇଁ ସରକାର ବହୁ ପରିମାଣରେ ତାଳଗଛ ଲଗାଉଛନ୍ତି। ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ସର୍ବ ଭାରତୀୟ ସ୍ତରରେ ଉତ୍ତରପ୍ରଦେଶରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୫୪୨ ବୋଲି ମନ୍ତ୍ରୀ କହିଛନ୍ତି।