ତେଲେଙ୍ଗାନାରେ ଏନକାଉଣ୍ଟର: ୬ ମାଓବାଦୀ ନିହତ

ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି।

୨ ସୁରକ୍ଷାକର୍ମୀ ଆହତ

ତେଲେଙ୍ଗାନା, ୦୫/୦୯: ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୬ ଜଣ ମାଓବାଦୀଙ୍କ ଜୀବନ ଯାଇଛି। କୋଠାଗୁଡେମର ଏକ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଏଥିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ରାଜଙ୍କ କହିବାନୁଯାୟୀ, ଆଜି ସକାଳେ ଏହି ଏନକାଉଣ୍ଟର ହୋଇଥିଲା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ସମ୍ପୃକ୍ତ ମାଓବାଦୀମାନେ ଛତିଶଗଡ଼ରୁ ଆସି କିଛି ଦିନ ହେବ ଏହି ଅଞ୍ଚଳରେ କାମ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ୬ ଜଣ ମହିଳା ମାଓବାଦୀ ଅନ୍ତର୍ଭୁକ୍ତ ଥିଲେ। ଗତ କିଛି ମାସ ଧରି ମାଓ ପ୍ରବଣ ଅଞ୍ଚଳରେ ପୋଲିସ ପକ୍ଷରୁ ଅପରେସନ କରାଯାଇ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଏନକାଉଣ୍ଟର ମଧ୍ୟ କରାଯାଉଛି।