ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା ୯୨୫ କୋଟି ଟଙ୍କା

ଆଜି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଶୁଭାରମ୍ଭ ହେଲା କୃଷି ବିଦ୍ୟାନିଧି ଯୋଜନା

ଭୁବନେଶ୍ୱର, ୦୮/୦୯: ଆଜି ନୂଆଁଖାଇ ଅବସରରେ ସମ୍ବଲପୁର ଗସ୍ତ କରି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଡିବିଟି ଜରିଆରେ ୯୨୫ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି।

ଉଲ୍ଲେଖଯୋଗ୍ୟ, ନବୀନ ସରକାରଙ୍କ କାଳିଆ ଯୋଜନାକୁ ସିଏମ୍ କିଷାନ ଯୋଜନା ନାମରେ ନାମିତ କରାଯାଇଛି। ସିଏମ୍ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିରେ ବାର୍ଷିକ ୪୦୦୦ ଟଙ୍କା ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୩ଟି କିସ୍ତିରେ ୧୨୫୦୦ ଟଙ୍କା ପ୍ରଦାନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୃଷି ବିଦ୍ୟାନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏକା ଦ୍ୱାରା ଚାଷୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ମୁଖ୍ୟମନ୍ତ୍ରୀ କୃଷି ବିଭାଗ ଦ୍ବାରା ପରିଚାଳିତ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମଧ୍ୟ ଉନ୍ମୋଚିତ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଅନ୍ୟ ସ୍ଥାନୀୟ ବିଧାୟକ ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ।