ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ପାଇଁ ଜନସାଧାରଣଙ୍କୁ ବିପଦ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୦୯/୦୯: ଭାରତରେ ପ୍ରଥମ ଏମପକ୍ସ ବା ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜଣେ ଯୁବକ। ଏ ନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବର୍ତ୍ତମାନ ଏମପକ୍ସ ସଂକ୍ରମଣର ଶିକାର ହେଉଥିବା ଦେଶରୁ ଭାରତ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଭୂତାଣୁ ଥିବା ସନ୍ଦେହରେ ଆଇସୋଲେସନରେ ରଖାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କ ଶରୀରରେ ଅସୁସ୍ଥତା ଲକ୍ଷ୍ୟ କରାଯାଇନାହିଁ।

ପରୀକ୍ଷାରୁ ଜଣା ପଡ଼ିଛି, ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍ ୨ର ଏମପକ୍ସ ଭୂତାଣୁ ଥିବା ଚିହ୍ନଟ ହୋଇଛି। ତେବେ ଏହି ମାମଲା ଅନ୍ୟ ସଂକ୍ରମଣଠାରୁ ଭିନ୍ନ। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦ୍ୱାରା ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ପୂର୍ବରୁ ୨୦୨୨ରେ ଭାରତରେ ଚିହ୍ନଟ ହୋଇଥିବା ୩୦ଟି ଏମପକ୍ସ ମାମଲା ମଙ୍କିପକ୍ସ କ୍ଲେଡ ୧ ଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଓ ମନିଟରିଂ ସମେତ ଚାଲିଛି। ତେବେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସାଧାରଣ ଲୋକଙ୍କ ପାଇଁ କୌଣସି ବିପଦର ସଙ୍କେତ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍କିପକ୍ସ ମାମଲାର ଟ୍ରାକିଂ ଏବଂ ମନିଟରିଂ ପ୍ରସଙ୍ଗରେ ଆଡଭାଇଜରି ଜାରି କରିଥିଲେ। ଏଥିରେ ରାଜ୍ୟ ସରକାରମାନଙ୍କୁ ସତର୍କ ରହିବାକୁ କୁହାଯିବା ସହ ଏବଂ ସର୍ଭିଲାନ୍ସ ରଣନୀତି ଓ ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ମଙ୍କିପକ୍ସ ଭୂତାଣୁ ପ୍ରଥମେ ୧୯୫୮ ମସିହାରେ ମାଙ୍କଡ଼ମାନଙ୍କ ଶରୀରରେ ଚିହ୍ନଟ ହୋଇଥିଲା। ପରେ ପଶ୍ଚିମ ଆଫ୍ରିକୀୟ ଦେଶମାନଙ୍କର ଦେଖିବାକୁ ମିଳିଥିଲା। ସଂକ୍ରମିତ ବ୍ୟକ୍ତି କିମ୍ବା ସଂକ୍ରମିତ ପଶୁଙ୍କ ସହ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭୂତାଣୁ ବ୍ୟାପେ। ଚର୍ମରେ ଦାଗ ଦେଖାଯିବା ସହ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ, ଯାହାକି ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ରହିପାରେ।