ମମତାଙ୍କୁ ଟାର୍ଗେଟ କଲେ କୋଲକାତା ଟ୍ରେନି ଡାକ୍ତରଙ୍କ ମା’

କହିଲେ ମାମଲା ଲୁଚାଇବାକୁ ଲାଞ୍ଚ ଯାଚିଥିଲା କୋଲକାତା ପୋଲିସ

କୋଲକାତା, ୦୯/୦୯: ଗତ ମାସରେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଟ୍ରେନ ଡାକ୍ତରଙ୍କ ମାଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପୀଡ଼ିତାଙ୍କ ମା’ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ତାଙ୍କୁ କ୍ଷତିପୂରଣ ଯଚା ଯାଇଥିବା ଅଭିଯୋଗ କରିଛନ୍ତି।

ତେବେ କୋଲକାତା ପୁଲିସ ଟ୍ରେନି ଡାକ୍ତରଙ୍କ ପିତାମାତାଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗକୁ ମମତା ବାନାର୍ଜୀ ଖଣ୍ଡନ କରିଥିବା ବେଳେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି। ସେ କହିଲେ ତୁମକୁ କ୍ଷତିପୂରଣ ମିଳିବ ଯେଉଁଥିରେ ତୁମେ ତୁମ ଝିଅର ସ୍ମୃତିରେ କିଛି ନିର୍ମାଣ କରିପାରିବ। ମୁଁ ସେତେବେଳେ କହିଥିଲି ଯେ ଯେତେବେଳେ ମୋ ଝିଅକୁ ନ୍ୟାୟ ମିଳିବ, ମୁଁ ଆପଣଙ୍କ କାର୍ଯ୍ୟାଳୟକୁ ଆସିବି ଏବଂ କ୍ଷତିପୂରଣ ନେବି।”

ସେପଟେ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନ ବନ୍ଦ କରି ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେବାକୁ ଅପିଲ କରିଥିଲେ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରେନ ଡାକ୍ତରଙ୍କ ମା। ସେ କହିଛନ୍ତି, ମମତା ବାନାର୍ଜୀଙ୍କ ଏଭଳି ବୟାନ ଅମାନବୀୟ ଭଳି ଲାଗୁଛି। ମୁଁ ମୋ ଝିଅକୁ ହରାଇଛି। ମୋ ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି।

ଏହା ପୂର୍ବରୁ ପୀଡ଼ିତାଙ୍କ ବାପା ଓ ମାଉସୀ ଅଭିଯୋଗ କରିଥିଲେ ଯେ କୋଲକାତା ପୁଲିସ ମାମଲାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଏହା ସହ ସେମାନଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଯାଚିଥିଲା।