ରାସନ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା

ଅକ୍ଟୋବରରୁ ମିଳିବ ଗହମ

ଭୁବନେଶ୍ୱର, ୨୭/୦୯: ଚଳିତ ବର୍ଷ ଅକ୍ଟୋବର ମାସରୁ ଓଡ଼ିଶାର ରାସନ କାର୍ଡଧାରୀଙ୍କୁ ଚାଉଳ ସହ ମିଳିବ ଗହମ। ଅକ୍ଟୋବର ମାସରୁ ୨୦ ପ୍ରତିଶତ ଗହମ ପାଇବେ ହିତାଧିକାରୀ।

ଏ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଚିଠି ଯୋଗେ ଜଣାଇଛି। କେନ୍ଦ୍ର ସରକାର ଗହମ-ଚାଉଳ ଅନୁପାତକୁ ସଂଶୋଧନ କରିବା ସହ ଗହମ ଆବଣ୍ଟନକୁ ୩୫ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି କରିଛନ୍ତି। ଓଡ଼ିଶା ସମେତ ୯ଟି ରାଜ୍ୟରେ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର। ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମିଳିବ ଗହମ।

ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଓଡ଼ିଶା ଏକ ଚାଉଳ ଖାଉଥିବା ରାଜ୍ୟ ହୋଇଥିବାରୁ ଅଧିକ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଯାହାଫଳରେ କେନ୍ଦ୍ରରୁ ଚାଉଳ ଯୋଗାଣ ବନ୍ଦ ହୋଇ ଯାଇଥିଲା। ହେଲେ, ଗତ ଅଗଷ୍ଟ ମାସରେ ମନ୍ତ୍ରୀ ନିଜେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ କଥା ହୋଇଥିଲେ ଓ ରାଜ୍ୟକୁ ପୁନଃ ଗହମ ଯୋଗାଇବା ପାଇଁ ଅନୁରୋଧ କରିଥିଲେ। ଯାହା ପରେ କେନ୍ଦ୍ର ସରକାର ଏହାକୁ ବିଚାର କରି ରାଜ୍ୟକୁ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।