ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ

ଶ୍ରୀମନ୍ଦିର ଅବଢା ସମେତ ସେଥିରେ ବ୍ୟବହୃତ ଘିଅର ମାନ ପରୀକ୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

ଭୁବନେଶ୍ୱର, ୨୭/୦୯: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦର ହେବ ମାନ ପରୀକ୍ଷଣ। ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଯାଞ୍ଚ ହେବ ଓ ରୋଷଶାଳାରୁ ଅବଢା ବାହାରିବା ପରେ ମଧ୍ୟ ମାନ ପରୀକ୍ଷଣ ହେବ। ଏଥିପାଇଁ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସୂଚନା ଅନୁଯାୟୀ, ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ମହାପ୍ରସାଦର ଗୁଣବତ୍ତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦେଶରେ ଅନ୍ୟ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଯେମିତି କୌଣସି ଅଭିଯୋଗ ନ ଆସେ, ଏହା ପୂର୍ବରୁ ହିଁ ମହାପ୍ରସାଦ ମାନ ପରୀକ୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ଏ ନେଇ ଖୁବ ଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ମାର୍ଗଦର୍ଶିକା ଜାରି କରାଯିବ। ଅବଢା ସହିତ ମହାପ୍ରସାଦ ପାଇଁ ବ୍ୟବହୃତ ଘିଅର ଗୁଣବତ୍ତା ମଧ୍ୟ ଯାଞ୍ଚ କରାଯିବ।

ନିକଟରେ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ଥିବା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର।