ଭଦ୍ରକରେ ଉତ୍ତେଜନା: ଇଣ୍ଟରନେଟ ସେବା ଠପ୍

୧୬୩ ଧାରା ଲାଗୁ

ଭଦ୍ରକ, ୨୮/୦୯: ଗତ ଶୁକ୍ରବାର ରାତିରେ ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଦେଖା ଦେଇଛି ଉତ୍ତେଜନା। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସା କାଣ୍ଡ ଘଟିବା ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ଠପ୍ ହୋଇଛି। ହ୍ଵାଟ୍ସଆପ୍, ଫେସବୁକ୍ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୪୮ ଘଣ୍ଟିଆ କଟକଣା ଜାରି କରିଛି ଗୃହ ବିଭାଗ। ହିଂସା ଘଟଣାରେ ୧୦ ଜଣଙ୍କୁ ଏଯାଏଁ ଗିରଫ କରାଯାଇଛି। ଏହା ସହିତ ଭଦ୍ରକର ପୁରୁଣା ବଜାର ଓ ଧାମନଗର ଦୋବୋଲରେ ୧୬୩ ଧାରା ଲାଗୁ ହୋଇଛି।

ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହିତ ଜନଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ରହିଛି। ତେଣୁ ଏଭଳି ଉତ୍ତେଜନାମୂଳକ ଓ ପ୍ରୋତ୍ସାହିତ ବାର୍ତ୍ତାକୁ ସୋସିଆଲ ମିଡ଼ିଆରେ ପ୍ରସାରିତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ବ୍ରଡବ୍ୟାଣ୍ଡ ସେବା ବନ୍ଦ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ସନ୍ଥିଆ ଅଞ୍ଚଳରେ ଶୁକ୍ରବାର ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଏକ ଗୋଷ୍ଠୀ ରାଲି କରିବା ପାଇଁ ବାହାରୁଥିବା ବେଳେ ପୋଲିସ ପକ୍ଷରୁ ଅଟକି ଯାଇଥିଲା। ହେଲେ, ବିକ୍ଷୋଭକାରୀଙ୍କୁମାନେ ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିରେ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ବିଶୃଙ୍ଖଳାରେ ଭଦ୍ରକ ତହସିଲଦାରଙ୍କ ଗାଡ଼ି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଆଗକୁ ହିଂସା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉକ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ପୁରୁଣା ବଜାରରେ ୧୦ ପ୍ଲାଟୁନ ଓ ଧାମନଗରରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ କୌଣସି ପ୍ରକାର ଗୁଜବ ନ ଶୁଣି ଶାନ୍ତି ବଜାୟ ରଖିବାକୁ ବାଲେଶ୍ୱର ଡିଆଇଜି ଅନୁରୋଧ କରିଛନ୍ତି।