ଦକ୍ଷିଣ-ପୂର୍ବ ଆମେରିକାରେ ‘ହେଲେନ’ ତାଣ୍ଡବ

ଗତ ଗୁରୁବାର ଦକ୍ଷିଣ ଆମେରିକାର ଫ୍ଲୋରିଡାରେ ଲ୍ୟାଣ୍ଡ ଫଲ କରିଥିଲା ବାତ୍ୟା(ହରିକେନ) ହେଲେନ।

ଗଲାଣି ୪୯ ଜୀବନ, ଅନ୍ଧାରରେ ୩୫ ଲକ୍ଷ ଲୋକ

ଆମେରିକା, ୨୮/୦୯: ଆମେରିକାରେ ତାଣ୍ଡବ ରଚିଛି ବାତ୍ୟା ‘ହେଲେନ୍’। ଦକ୍ଷିଣ-ପୂର୍ବ ଆମେରିକାରେ ବାତ୍ୟା ‘ହେଲେନ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ପ୍ରବଳ ବର୍ଷା ଓ ପବନରେ ଗଲାଣି ୪୯ ଲୋକଙ୍କ ଜୀବନ। ହଜାର ହଜାର ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି।

ଗତ ଗୁରୁବାର ରାତିରେ ଫ୍ଲୋରିଡାରେ ଲ୍ୟାଣ୍ଡ ପଲ କରିଥିଲା ବାତ୍ୟା ହେଲେନ। ୧୪୦ କିଲୋମିଟର ବେଗରେ ପବନ ବହିବା ସହ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ଦକ୍ଷିଣ କାରୋଲିନା, ଜର୍ଜିଆ, ଫ୍ଲୋରିଡା, ନର୍ଥ କାରୋଲିନା ଏବଂ ଭର୍ଜିନିଆରେ ବାତ୍ୟା ଜନିତ ମୃତ୍ୟୁ ଘଟିଛି। ପାଞ୍ଚଟି ରାଜ୍ୟର ପାଖାପାଖି ୩୫ ଲକ୍ଷ ଲୋକ ଅନ୍ଧାର ଭିତରେ ଅଛନ୍ତି। ଏବେ ଯାଏଁ ବି ପ୍ରବଳ ବର୍ଷା ଜାରି ରହିଛି। ତେଣୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାଘାତ ସୃଷ୍ଟି ହେଉଛି।

ପ୍ରଳୟଙ୍କରୀ ଝଡ଼ ତୋଫାନରେ ଫ୍ଲୋରିଡାରୁ ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି। ପ୍ରାୟ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାନବାହାନ ଭାସୁଥିବା ଦେଖିବାକୁ ମିଳିଛି। ସେହିପରି ଟେନେସିରେ ଥିବା ୟୁନିକୋଇ କାଉଣ୍ଟି ହସ୍ପିଟାଲରେ ପାଣି ପଶିଯିବା ଫଳରେ ହସ୍ପିଟାଲ ଛାତ ଉପରୁ ହେଲିକପ୍ଟର ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏକାଧିକ ରାଜ୍ୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଆମେରିକା ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଫ୍ଲୋରିଡାରେ ପାଖାପାଖି ୪,୦୦୦ ନ୍ୟାସନାଲ ଗାର୍ଡମ୍ୟାନଙ୍କୁ ମୁତୟନ କରାଯାଇଥିବା ବେଳେ ଉତ୍ତର କାରୋଲିନା, ଜର୍ଜିଆ ଏବଂ ଆଲାବାମାରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।