ତାମିଲନାଡୁ ଶାସନଭାର ସମ୍ଭାଳିବେ ବାପା ପୁଅ

ସୁପ୍ରିମକୋର୍ଟରୁ ଜାମିନ ପାଇବାର ଦୁଇ ଦିନ ପରେ ଷ୍ଟାଲିନ କ୍ୟାବିନେଟରେ ସେନ୍ଥିଲ ବାଲାଜୀଙ୍କୁ ଦାୟିତ୍ୱ ମିଳିଛି।

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନାଥ ଷ୍ଟାଲିନ

ନୂଆଦିଲ୍ଲୀ, ୨୯/୦୯: ତାମିଲନାଡୁ ରାଜନୀତିରେ ପରିବାରବାଦ। ରାଜ୍ୟକୁ ଶାସନ କରିବେ ବାପା ଓ ପୁଅ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନାଥ ଷ୍ଟାଲିନ ହେଲେ ଉପମୁଖ୍ୟମନ୍ତ୍ରୀ। ତାମିଲନାଡୁର ଡିଏମକେ ସରକାରରେ ବଡ ଧରଣର ପରିବର୍ତ୍ତନ ହେବା ପରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦୟନାଥ ଷ୍ଟାଲିନ।

କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନାଥ ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳଙ୍କୁ ସୁପାରିସ କରିବା ପରେ ରାଜ୍ୟପାଳ ସୁପାରିସକୁ ଗ୍ରହଣ କରିଥିଲେ। ରାଜ୍ୟପାଳ ଆରଏନ ରବି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇଛନ୍ତି।

ସେହିପରି ୨୦୨୧ରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରେ ଥିବା ସେନ୍ଥିଲ ବାଲାଜୀ ବିଦ୍ୟୁତ ଓ ଅବକାରୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବାର ଦୁଇ ଦିନ ପରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଡ. ଗୋବି ଚେଝିଆନ ଶପଥ ଗ୍ରହଣ କରିଥିବା ବେଳେ ଆର ରାଜେନ୍ଦ୍ରନଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। ମେ ୨୦୨୧ରୁ ମେ ୨୦୨୩ ପର୍ଯ୍ୟନ୍ତ ଷ୍ଟାଲିନ କ୍ୟାବିନେଟରେ ଥିବା ଏସ୍ ଏମ୍ ନାସର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କେ ପନମୁଡି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।