ରାସନ କାର୍ଡରେ ଇ-କେୱାଇସି ନହେଲେ ଫିଜିକାଲ ଭେରିଫିକେସନ ହେବ

ଦୁଇ କୋଟି ଲୋକଙ୍କ ସରିଛି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ୨୯/୦୯: ରାସନ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିବ। ଶେଷ ଆବେଦନକାରୀଙ୍କ ଯାଞ୍ଚ ନହେବା ପର୍ଯ୍ୟନ୍ତ ରାସନ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ତିନି କୋଟି ଲୋକଙ୍କ ଇ-କେୱାଇସି ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଦୁଇ କୋଟି ଲୋକଙ୍କ ଇ-କେୱାଇସି ଯାଞ୍ଚ ଶେଷ ହୋଇଛି। ସମସ୍ତ ଲୋକ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହେବା ଯାଏଁ ଏହା ଚାଲିବ। ଏହି ପ୍ରକ୍ରିୟା ଶେଷ ହେବାକୁ ଆହୁରି ୩୦ରୁ ୪୫ ଦିନ ସମୟ ଲାଗିବ। ଏହା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ। ସେହିପରି ଯେଉଁମାନେ ଇ-କେୱାଇସି ନ ହୋଇ ପାରିବ ସେମାନଙ୍କର ଫିଜିକାଲ ଭେରିଫିକେସନ ହେବ। ବିଭାଗ ତରଫରୁ ଘରକୁ ଘର ବୁଲି ଫିଜିକାଲ ଭେରିଫିକେସନ କରିବେ ଅଧିକାରୀ ବୋଲି ମନ୍ତ୍ରୀ କହିଛନ୍ତି।